ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ବଣୁଆଁ ହାତୀ

ସୁନ୍ଦରଗଡ, ୨୪।୧୦: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ବିରତୋଲା ଜଙ୍ଗଲ ନିକଟ ପଞ୍ଚୁପଡ଼ା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଗୁରୁବାର ଏକ ହାତୀ ପଡିଯାଇଥିବାର ଦେଖିବାକୁ ମିଳିଥିଲା । ହାତୀକୁ ଦେଖି ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ସୁନ୍ଦରଗଡ଼ ସହକାରୀ ବନସଂରକ୍ଷକ (ଏସିଏଫ), ବଡଗାଁ ଭାରପ୍ରାପ୍ତ ରେଞ୍ଜ ଅଫିସର ରୁନେନ୍ଦ୍ର ସାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ୨୦ଟିକିଆ ହାତୀ ପଲ ସେ ଅଞ୍ଚଳ ଦେଇ ଯାଉଥିବା ବେଳେ କୌଣସି କାରଣରୁ ସେମାନଙ୍କ ମଧ୍ୟରୁ ଗୋଟାଏ ହାତୀ ସେ କୂଅ ଭିତରେ ପଡ଼ିଯାଇଥିବା କୁହାଯାଉଛି। ଝିପି ଝିପି ବର୍ଷା ସତ୍ତ୍ୱେ ସ୍ଥାନୀୟ ଗ୍ରାମବାସୀ ହାତୀ ଦେଖିବାକୁ ସେଠାରେ ଗହଳି କରିଥିଲେ। ତେବେ ଦୀର୍ଘ ପାଞ୍ଚ ଘଣ୍ଟାର ଉଦ୍ୟମ ପରେ ବନବିଭାଗ ଓ ଅଗ୍ନିଶମ କର୍ମଚାରୀମାନେ ହାତୀଟିକୁ କୂଅ ମଧ୍ୟରୁ ବାହାର କରିବାରେ ସମର୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *