FeaturedLatestNewsPolitics

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପଛରେ ଥାଇପାରେ ଷଡଯନ୍ତ୍ର : ବିଜୟ ମହାପାତ୍ର

ଭୁବନେଶ୍ୱର (ସଂକେତ୍ ଟିଭି) : ବିଜୁ ଜନତା ଦଳ (ବିଜେଡି) ଦଳ ବିରୋଧୀ କାର୍ଯ୍ୟକଳାପର ଅଭିଯୋଗରେ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବିତ କରିବା ପରେ ପୂର୍ବତନ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତାଙ୍କର ପୁଅ ଅରବିନ୍ଦଙ୍କ ବିରୁଦ୍ଧରେ ଗୃହୀତ ଏହି ପଦକ୍ଷେପ ପଛରେ ଷଡଯନ୍ତ୍ର ଥାଇପାରେ ବୋଲି ସେ ସୂଚନା ଦେଇଛନ୍ତି ।

ବିଜୟ ମହାପାତ୍ର କହିଛନ୍ତି, “ବିଜେଡି ଏକ ଦଳ, ସେମାନେ ତାଙ୍କ ପଦକ୍ଷେପ ନେଇଛନ୍ତି । ବିଶ୍ୱାସଘାତକ କ’ଣ ହୋଇଛି, ସେମାନେ କହିବେ, ମୁଁ ଜାଣିବାରେ କିଛି ଘଟିନି । ଓଡ଼ିଶାର ଲୋକେ କାରଣ ଜାଣିବା ପାଇଁ ଅପେକ୍ଷା କରୁଛନ୍ତି । କାହା ପାଖରେ କି ଗୁପ୍ତ ରିପୋର୍ଟ ଅଛି, ସେମାନେ କହିପାରିବେ ।”

ଏହି ନିଷ୍ପତ୍ତି ସମ୍ବନ୍ଧରେ ସେ ଆହୁରି କହିଛନ୍ତି, “ଭବିଷ୍ୟତ କଥା କିଏ କହିବ? ଅରବିନ୍ଦ ମହାପାତ୍ର ମୋ ସମ୍ପର୍କରେ ନବୀନ ବାବୁଙ୍କ ସହ କିଛି ଆଲୋଚନା କରିନାହାନ୍ତି । କ’ଣ ହୋଇଛି, ଆକଳନ କରିବା କଷ୍ଟକର । ଦଳରେ ଥିଲା, ଆଉ ଦଳୀୟ ଲାଇନ କ’ଣ? ନବୀନବାବୁଙ୍କ ଦସ୍ତଖତରେ ଆସିଛି, ଆଉ ନିଷ୍ପତ୍ତି କ’ଣ?”

ବିଜୟ ମହାପାତ୍ର ମତ ରଖିଛନ୍ତି ଯେ ଏହି ଘଟଣା ପଛରେ କୌଣସି ଷଡଯନ୍ତ୍ର ଥାଇପାରେ ଏବଂ ଓଡ଼ିଶାର ଲୋକଙ୍କୁ ଏହାର କାରଣ ଜାଣିବା ଉଚିତ୍ । ସେ ପରାମର୍ଶ ଦେଇ କହିଛନ୍ତି, “ଦଳରେ ଯେଉଁ ଲୋକ ତାଙ୍କ ସାଙ୍ଗରେ ଅଛନ୍ତି, ତାଙ୍କର କଥା ବୁଝିବେ, ଏରିଆ କଥା ବୁଝିବେ । ବିଶ୍ବାସଘାତକ କିଏ, ଲୋକେ କହିବେ ।”