ଚାରି ବର୍ଷର ପିଲାକୁ ମାଡ଼ ମାରିବା ଅଭିଯୋଗ: ଗ୍ରାମବାସୀଙ୍କ କଙ୍ଗାରୁ କୋର୍ଟ
ବାଲିଆପାଳ (ଉମାକାନ୍ତ ନାୟକ ) ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କଚୁଆଡ଼ି ପଞ୍ଚାୟତର କଟିସାହି ଗାଁରେ ଏକ ଭିଡିଓ ଭାଇରାଲ ହେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏହି ଭିଡିଓରେ ଗାଁର ବୃଦ୍ଧା ଓ ତାଙ୍କ ଝିଅ ତାଙ୍କରି ଚାରି ବର୍ଷର ନାତିଙ୍କୁ ବାଡ଼ିରେ ଅମାନୁଷିକ ଭାବେ ପିଟୁଥିବା ଦେଖାଯାଇଥିଲା।
ଘଟଣାରେ ଥାନାକୁ ଅଭିଯୋଗ କରାଯାଇଥିଲା ମଧ୍ୟ, ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗ୍ରାମବାସୀଙ୍କ କ୍ରୋଧ ଆହୁରି ବଢ଼ିଥିଲା। ପରିସ୍ଥିତିରେ, ଗ୍ରାମବାସୀଙ୍କୁ ଆଇନ ହାତକୁ ନେବା ପାଇଁ ବାଧ୍ୟ କଲା।
ଗତକାଲି ଗ୍ରାମବାସୀ ଉତ୍ତେଜିତ ହୋଇ ବୃଦ୍ଧାଙ୍କ ଘରେ ପହଞ୍ଚିଲେ ଏବଂ ତାଙ୍କୁ ଖୋଜି ନ ପାଇ ଘରେ ଥିବା ବୃଦ୍ଧାଙ୍କ ଝିଅ ଓ ଜ୍ୱାଇଁଙ୍କୁ ଜୋରଜବରଦସ୍ତି ଘରୁ ଟାଣି ଆଣିଲେ। ଗାଁର ଛକରେ ଥିବା ଖୁଣ୍ଟ ସାଙ୍ଗରେ ଉଭୟକୁ ବାନ୍ଧି ଦିଆଗଲା ଏବଂ ଗ୍ରାମବାସୀଙ୍କ ଦଳ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏହିପରି ଭାବେ ଗ୍ରାମବାସୀ ଗାଁ ଛକରେ ଏକ ‘କଙ୍ଗାରୁ କୋର୍ଟ’ ବସାଇ ନ୍ୟାୟ ବିତରଣ କରିବାକୁ ଚେଷ୍ଟା କରିଥିଲେ।
ଘଟଣାର ଖବର ପାଇ କମର୍ଦ୍ଦା ପୋଲିସ ସ୍ଥଳରେ ପହଞ୍ଚି ଝିଅ ଓ ଜ୍ୱାଇଁଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ପୋଲିସ ଏକ ନୂତନ ମାମଲା ପଞ୍ଜିକୃତ କରି ପରିବାରର ୬ ଜଣକୁ ଗିରଫ କରିଛି।
