ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବ ଭାରତ : କଟକରେ ଅମିତ ଶାହ
କଟକ(ସଂକେତ ଟିଭି): କଟକ ମୁଣ୍ଡୁଳି ଠାରେ ଆୟୋଜିତ ସିଆଇଏସ୍ଏଫ୍ (କେନ୍ଦ୍ରୀୟ ଔଦୋଗିକ ସୁରକ୍ଷା ବଳ) କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବଳର ଭୂମିକା ଓ ରାଷ୍ଟ୍ର ପ୍ରତି ତ୍ୟାଗକୁ ପ୍ରଶଂସା କରିଛନ୍ତି।
ଏହି ଅବସରରେ ସିଆଇଏସ୍ଏଫ୍ ଶିବିରରେ ସମ୍ବୋଧନ ଦେଇ ଶ୍ରୀ ଶାହ କହିଛନ୍ତି ଯେ, ସିଆଇଏସ୍ଏଫ୍ ବିନା ଦେଶର ଔଦୋଗିକ ବିକାଶର ସମ୍ଭାବନା ଅସମ୍ଭବ। ଆଧୁନିକତାକୁ ଆପଣେଇବା ସହିତ ପରମ୍ପରାକୁ ମଧ୍ୟ ଜାବୁଡ଼ି ଧରିଥିବା ଏହି ବଳ ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ବୋଲି ସେ ମତ ପ୍ରକାଶ କରିଛନ୍ତି।
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ସିଆଇଏସ୍ଏଫ୍ ର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେ କହିଥିଲେ ଯେ, ବର୍ତ୍ତମାନ ୭୦ଟି ବିମାନ ବନ୍ଦର ସହ ୩୬୧ଟି ପ୍ରମୁଖ ସଂସ୍ଥାନକୁ ସୁରକ୍ଷା ପ୍ରଦାନ କରୁଥିବା ସିଆଇଏସ୍ଏଫ୍ ବର୍ତ୍ତମାନ ବନ୍ଦରଗୁଡ଼ିକର ସୁରକ୍ଷା ଦାୟିତ୍ବ ମଧ୍ୟ ତୁଲାଇବ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଶାହ ଓଡ଼ିଶାର ବୀର ଯୋଦ୍ଧା ସହିଦ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କରିବା ସହ ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ନକ୍ସଲବାଦ ଉଚ୍ଛେଦକୁ ନେଇ ଗୃହମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆମେ ବର୍ତ୍ତମାନ ନକ୍ସଲବାଦରୁ ମୁକ୍ତ ହେବାର ଦ୍ବାରଦେଶରେ ଛିଡ଼ା ହୋଇଛୁ। ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ନକ୍ସଲବାଦ ସମ୍ପୂର୍ଣ୍ଣ ସଫା ହୋଇଯିବ। “ମାଓବାଦୀଙ୍କ ତିରୁପତିରୁ ପଶୁପତି ରେଡ୍ କରିଡର୍ ସ୍ବପ୍ନ ଧୂଳିସାତ ହେବ। ଆମ ସୁରକ୍ଷାକର୍ମୀ ସେମାନଙ୍କୁ ପରାସ୍ତ କରି ପ୍ରଭୁତ୍ବ ଦେଖାଇବେ।” ସେ ପୁଣି ଥରେ ଦୋହରାଇଥିଲେ ଯେ, ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଦେଶ ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବ। ନକ୍ସଲବାଦର ମୂଳୋତ୍ପାଟନ ପାଇଁ ସିଆଇଏସ୍ଏଫ୍ ର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସେ ଏହି ଅବସରରେ ସ୍ପଷ୍ଟ କରିଥିଲେ।
