ପାରାଦୀପରେ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟର ଲୋକାର୍ପଣ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ପାରାଦୀପ (ସଂକେତ ଟିଭି): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସି ପାରାଦୀପଠାରେ ଏକ ବୃହତ୍ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ସେ ଇଫକୋ ପରିସରରେ ନିର୍ମିତ ‘ସଲଫ୍ୟୁରିକ୍ ଏସିଡ୍-୩’ ପ୍ଲାଣ୍ଟର ଲୋକାର୍ପଣ କରି ରାଜ୍ୟର ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି।
ଏହି ଅବସରରେ ଆୟୋଜିତ ସଭାରେ ଯୋଗଦେଇ ଅମିତ ଶାହ ନିଜର ଅଭିଭାଷଣ ‘ଜୟ ଜଗନ୍ନାଥ’ରୁ ଆରମ୍ଭ କରିଥିଲେ। ସେ କହିଥିଲେ, ମୁଁ ଯେଉଁ ଅହମ୍ମଦାବାଦ ସହରରୁ ଆସିଛି, ସେଠାରେ ମଧ୍ୟ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ବହୁ ଧୁମଧାମରେ ପାଳନ କରାଯାଏ। ୨୦୨୪ ମସିହାର ସାଧାରଣ ନିର୍ବାଚନ ପରେ ଏହା ଓଡ଼ିଶାରେ ତାଙ୍କର ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମ ବୋଲି ସେ ଉଲ୍ଲେଖ କରିଥିଲେ।
ରାଜ୍ୟର ରାଜନୈତିକ ପରିବର୍ତ୍ତନକୁ ନେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ, “ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି ଏବଂ ସଠିକ୍ ଦିଗରେ ରାଜ୍ୟକୁ ଆଗେଇ ନେଉଛି। ଓଡ଼ିଶାକୁ ଦୀର୍ଘ ବର୍ଷ ଧରି ଅନ୍ୟ ଦଳର ଶାସନରୁ ମୁକ୍ତ କରିଥିବାରୁ ମୁଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି।”
ଓଡ଼ିଶାର ବିକାଶ ପାଇଁ ନିଜର ରୋଡମ୍ୟାପ୍ ପ୍ରସ୍ତୁତ କରି ଅମିତ ଶାହ କହିଥିଲେ ଯେ ଗୁଜରାଟ ଭଳି ଓଡ଼ିଶାର ପ୍ରତିଟି ଗାଁରେ ଡାଏରୀ (ଦୁଗ୍ଧ ସଂଗ୍ରହ କେନ୍ଦ୍ର) ପହଞ୍ଚିବ। ସେ କହିଥିଲେ, “ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ। ୩୬ ଲକ୍ଷ ଗ୍ରାମୀଣ ମହିଳା ଅମୁଲକୁ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି। ସେହିଭଳି ଓଡ଼ିଶାରେ ମଧ୍ୟ ଗ୍ରାମୀଣ ଜନଜୀବନକୁ ସମୃଦ୍ଧ କରାଯିବ। ଆଗାମୀ ଦିନରେ ବିକଶିତ ରାଜ୍ୟ ମଧ୍ୟରେ ଓଡ଼ିଶା ଅବଶ୍ୟ ସ୍ଥାନ ପାଇବ।”
ରାଜ୍ୟର ସମ୍ବଳ ଓ ଦାରିଦ୍ର୍ୟ ମଧ୍ୟରେ ଥିବା ବିଡ଼ମ୍ବନା ଉପରେ ମତ ରଖି ଶ୍ରୀ ଶାହ କହିଥିଲେ, “ଦୁର୍ଭାଗ୍ୟର କଥା, ଏ ରାଜ୍ୟର ଭୂମି ତଳେ ଅପାର ସମ୍ପଦ ରହିଛି, କିନ୍ତୁ ଏଠାକାର ଜନତା ଗରିବ ଥିଲେ। ପୂର୍ବ ସରକାରମାନେ ଏହାର ସମୁଦ୍ର ତଟର ବିକାଶ ପାଇଁ କୌଣସି କାର୍ଯ୍ୟ କରି ନ ଥିଲେ। ୨୦୨୪ ନିର୍ବାଚନରେ ଆପଣମାନେ ବିଜେପିକୁ ବହୁମତ ଦେଇ ସରକାର ଗଠନ କରିବାର ସୁଯୋଗ ଦେଲେ। ଆଜି ସରକାର ଜନଜାତିରୁ ନେଇ ହସ୍ତତନ୍ତ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିକାଶ କାର୍ଯ୍ୟ ଆଗେଇ ନେଉଛି।”
ନୂତନ ଉଦ୍ଘାଟିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଦେଶର ଆତ୍ମନିର୍ଭରତା ସହ ଯୋଡ଼ି ଅମିତ ଶାହ କହିଥିଲେ ଯେ ଏହା ଭାରତର ଆମଦାନୀ ନିର୍ଭରତାକୁ ହ୍ରାସ କରିବ। ଇଫକୋର ଏହି ୟୁନିଟ୍ ୨୨ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତାରେ ପହଞ୍ଚିଛି। ଇଫକୋ ସଲଫ୍ୟୁରିକ୍ ଏସିଡ୍ ଉତ୍ପାଦନରେ ଦେଶରେ ନମ୍ବର-୧ ସ୍ଥାନରେ ରହିଛି, ଯେଉଁଥିରେ ୫ କୋଟି କୃଷକ ୩୬ ହଜାର କୋ-ଅପରେଟିଭ୍ ମାଧ୍ୟମରେ ସଂଶ୍ଲିଷ୍ଟ ହୋଇ ୪୧ ହଜାର କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି। ସେ ଏହାକୁ ଏକ ସଫଳ ‘କର୍ପୋରେଟିଭ୍ ମଡେଲ୍’ ବୋଲି ଅଭିହିତ କରିବା ସହ ଆଗାମୀ ଦିନରେ ଏହା ଗରିବ ଚାଷୀ ଓ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି।
ଶେଷରେ ସେ ସୂଚନା ଦେଇଥିଲେ ଯେ ଆଜି ସନ୍ଧ୍ୟାରେ ଓଡ଼ିଶାର ନୂତନ ସରକାରଙ୍କ ନୀତି ଘୋଷଣା କରାଯିବ, ଯାହା ରାଜ୍ୟର ଭବିଷ୍ୟତ ଦିଗନିର୍ଦ୍ଦେଶ କରିବ।
