ରାଜ୍ୟସଭା ନିର୍ବାଚନ: ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରାର୍ଥୀପତ୍ର ବୈଧ, ଜଣଙ୍କର ନାକଚ୍
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ଚାରିଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ନାମାଙ୍କନପତ୍ର ଯାଞ୍ଚ କାର୍ଯ୍ୟ ସମ୍ପନ୍ନ ହୋଇଛି। ମୋଟ ୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରାର୍ଥୀପତ୍ର ବୈଧ ଘୋଷିତ ହୋଇଥିବା ବେଳେ ଜଣଙ୍କର ପ୍ରାର୍ଥୀପତ୍ର ନାକଚ୍ ହୋଇଯାଇଛି।
ବୈଧ ପ୍ରାର୍ଥୀପତ୍ର ଗୁଡ଼ିକ ମଧ୍ୟରେ ବିଜେଡି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦତ୍ତେଶ୍ୱର ହୋତା, ବିଜେଡିର ସଂତୃପ୍ତ ମିଶ୍ର, ବିଜେପିର ମନମୋହନ ସାମଲ ଏବଂ ସୁଜିତ୍ କୁମାର ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ନାମ ସାମିଲ ରହିଛି। ତେବେ ତେଲେଙ୍ଗାନାରୁ ନାମାଙ୍କନ ଦାଖଲ କରିଥିବା କାନ୍ତେ ସାୟାନାଙ୍କ ପ୍ରାର୍ଥୀପତ୍ର କୌଣସି ପ୍ରସ୍ତାବକ ନଥିବା କାରଣରୁ ନାକଚ୍ କରାଯାଇଛି।
ଓଡ଼ିଶାର ଚାରିଟି ରାଜ୍ୟସଭା ଆସନ ପାଇଁ ମୋଟ ୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ବିଜେପି ତରଫରୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ସୁଜିତ୍ କୁମାର ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେହିପରି ବିଜେଡି ତରଫରୁ ବରିଷ୍ଠ ନେତା ସଂତୃପ୍ତ ମିଶ୍ର ନାମାଙ୍କନ ପତ୍ର ଭରିଥିଲେ।
ଚତୁର୍ଥ ଆସନ ପାଇଁ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ କରିଥିଲେ। ଡାକ୍ତର ହୋତାଙ୍କୁ ବିଜେଡି ଏବଂ କଂଗ୍ରେସ ସମର୍ଥନ କରୁଥିବା ବେଳେ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରୁଛି।
ନାମାଙ୍କନ ଦାଖଲ ବେଳେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବିଜେଡି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ନାମାଙ୍କନ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ମନମୋହନ, ସୁଜିତ କୁମାର ଓ ସଂତୃପ୍ତ ମିଶ୍ର ୨ ସେଟ୍ ଲେଖାଏଁ ନାମାଙ୍କନ ଦାଖଲ କରିଥିବା ବେଳେ ଦତ୍ତେଶ୍ୱର ହୋତା ଏବଂ ଦିଲ୍ଲୀପ ରାୟ ୩ ସେଟ୍ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
