ଟି୨୦ ବିଶ୍ବକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ହେଲା ଭାରତ
ଅହମଦାବାଦ(ସଂକେତ ଟିଭି):ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଅହମଦାବାଦରେ ଅନୁଷ୍ଠିତ ଟି୨୦ ବିଶ୍ବକପ୍-୨୦୨୬ର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ଟି୨୦ ବିଶ୍ବକପ୍ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି। ପୂର୍ବରୁ ୨୦୨୪ରେ ଭାରତ ଏହି ଟ୍ରଫି ଜିତିଥିଲା।
ଦେଶର କୋଟି କୋଟି ପ୍ରଶଂସକ ଏବଂ କ୍ରୀଡ଼ାପ୍ରେମୀ ଏହି ବିଜୟକୁ ଦୀପାବଳି ପରି ପାଳନ କରିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକଙ୍କ ଉତ୍ସାହର ସୀମା ନଥିଲା। ଜମ୍ମୁ-କଶ୍ମୀରରୁ କନ୍ୟାକୁମାରୀ ଏବଂ ମଣିପୁରରୁ ରାଜସ୍ଥାନ ପର୍ଯ୍ୟନ୍ତ, ଗାଁ ଠାରୁ ସହର, ସମଗ୍ର ଦେଶରେ ବିଜୟୋତ୍ସବ ଦେଖିବାକୁ ମିଳିଛି। ଭାରତୀୟ ସହରଗୁଡ଼ିକରେ ବାଣ ଏବଂ ଫଟକାର ଶବ୍ଦରେ ଦୀପାବଳିର ଝଲକ ଦେଖାଯାଇଛି। କେବଳ ସ୍ୱଦେଶରେ ନୁହେଁ, ବିଦେଶରେ ରହୁଥିବା ଭାରତୀୟ ନାଗରିକମାନେ ମଧ୍ୟ ଏହି ବିଜୟରେ ଗୌରବାନ୍ୱିତ ହୋଇଛନ୍ତି।
ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୫୫ ରନ୍ର ବିଶାଳ ସ୍କୋର୍ ଛିଡ଼ା କରିଥିଲା।
ଭାରତ ପାଇଁ ଇନିଂସ ଆରମ୍ଭ କରିଥିଲେ ସଂଜୁ ସାମସନ ଏବଂ ଅଭିଷେକ ଶର୍ମା। ଉଭୟ ପ୍ରଥମ ୱିକେଟ୍ ପାଇଁ ୯୮ ରନ୍ର ଭାଗିଦାରୀ କରିଥିଲେ। ଅଭିଷେକ ଶର୍ମା ୨୧ଟି ବଲ୍ରୁ ୬ଟି ଚୌକା ଓ ୩ଟି ଛକା ସହାୟତାରେ ୫୨ ରନ୍ କରି ଆଉଟ୍ ହୋଇଥିଲେ। ସଂଜୁ ସାମସନ ଦଳ ପାଇଁ ସର୍ବାଧିକ ୮୯ ରନ୍ ସଂଗ୍ରହ କରିଥିଲେ। ୪୫ଟି ବଲ୍ ଖେଳିଥିବା ସାମସନ ନିଜ ଇନିଂସରେ ୫ଟି ଚୌକା ଓ ୮ଟି ଛକା ମାରିଥିଲେ।
ସାମସନଙ୍କ ସହ ଈଶାନ କିଶନ ଦ୍ବିତୀୟ ୱିକେଟ୍ ପାଇଁ ୧୦୫ ରନ୍ର ଭାଗିଦାରୀ କରିଥିଲେ। ଈଶାନ କିଶନ ୨୫ଟି ବଲ୍ ଖେଳି ୪ଟି ଚୌକା ଓ ୪ଟି ଛକା ସହ ୫୪ ରନ୍ କରିଥିଲେ। ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ବଲ୍ ଖେଳି ୧୮ ରନ୍ କରି ଅପରାଜିତ ରହିଥିଲେ। ତାଙ୍କ ଇନିଂସରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା।
୨୫୬ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ଦଳ ଭାରତୀୟ ବୋଲରଙ୍କ ଆଗରେ ଦଣ୍ଡାୟମାନ ହୋଇପାରିନଥିଲା। ନ୍ୟୁଜିଲାଣ୍ଡ ୫୦ ରନ୍ ପୂର୍ବରୁ ହିଁ ନିଜର ଆଗଧାଡ଼ିର ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଚାପରେ ରହିଥିଲା। ଶେଷରେ ପୂରା ଦଳ ୨୦ ଓଭରରେ ମାତ୍ର ୧୫୯ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଫଳରେ ଭାରତ ଏହି ଫାଇନାଲ ମ୍ୟାଚ୍କୁ ୯୬ ରନରେ ଜିତି ନେଇଥିଲା।
