ଓଡ଼ିଶା ଲୋକସେବା ଭବନରେ ୧୦୫ ଖାଲି ପଦବୀ: ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଲୋକସେବା ଭବନ (ସଚିବାଳୟ)ରେ ବଡ଼ ଧରଣର ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ମୁଖ୍ୟ ପ୍ରଶାସନିକ କେନ୍ଦ୍ରରେ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରର ଅଧିକାରୀଙ୍କ ପଦ ଖାଲି ରହିଛି। ଏନେଇ ବିଧାନସଭାରେ ଏକ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ସଚିବାଳୟ ସେବା ଅଧୀନରେ ବିଭିନ୍ନ ପଦବୀରେ ମୋଟ ୮୨୬ଟି ପଦ ଖାଲି ପଡ଼ିଛି। ସେଥିମଧ୍ୟରୁ ୧୦୫ଟି ଅନୁଶାସନ ସଚିବଙ୍କ ପଦବୀ ଖାଲି ରହିଥିବା ବେଳେ ଗୋଟିଏ ଅତିରିକ୍ତ ଶାସନ ସଚିବଙ୍କ ପଦ ମଧ୍ୟ ଖାଲି ଅଛି।
ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ଏହି ଖାଲି ପଦବୀଗୁଡ଼ିକ ମଧ୍ୟରେ ରହିଛି:
- ୨ଟି ଯୁଗ୍ମ ଶାସନ ସଚିବ ପଦ
- ୨ଟି ଉପ ଶାସନ ସଚିବ ପଦ
- ୪ଟି ଡେସ୍କ ଅଫିସର ପଦ
- ୩୬୫ଟି ଉପବିଭାଗ ଅଧିକାରୀଙ୍କ ପଦ
- ୩୪୮ଟି ସହକାରୀ ଉପବିଭାଗ ଅଧିକାରୀଙ୍କ ପଦ
ବିଧାୟକ ଶ୍ରୀ ବିଶ୍ବାଳ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶା ସଚିବାଳୟ ସେବାରେ କେଉଁ କେଉଁ ପଦବୀ ଖାଲି ଅଛି ଏବଂ ସେଗୁଡ଼ିକୁ ପୂରଣ କରିବା ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଏହି ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।
