ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ଆନ୍ତର୍ଜାତୀୟ ବିମାନ ଭଡ଼ାରେ ୧୫% ବୃଦ୍ଧି
ନୂଆଦିଲ୍ଲୀ(ସଂକେତ ଟିଭି): ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱର ଅର୍ଥନୀତି ଉପରେ ଦେଖାଦେବାକୁ ଲାଗିଛି। ଯୁଦ୍ଧ ଯଦି ଶୀଘ୍ର ବନ୍ଦ ନହୁଏ, ତେବେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲ ଭଳି ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ, ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ବିମାନ କମ୍ପାନିଗୁଡ଼ିକ ନିଜର ଆନ୍ତର୍ଜାତୀୟ ବିମାନ ଭଡ଼ାରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିସାରିଛନ୍ତି।
ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ହର୍ମୁଜ୍ ପ୍ରଣାଳୀରେ ସୃଷ୍ଟି ହୋଇଥିବା ବାଧା ଯୋଗୁଁ ଅଶୋଧିତ ତେଲ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାର ସିଧାସଳଖ ପ୍ରଭାବ ଜେଟ୍ ଇନ୍ଧନ ମୂଲ୍ୟ ଉପରେ ପଡ଼ିଛି, ଯାହାର ଦ୍ରୁତ ବୃଦ୍ଧି ଘଟିଚି। ବିଶେଷଜ୍ଞଙ୍କ ମତରେ, ଏକ ବିମାନ କମ୍ପାନିର ମୋଟ ପରିଚାଳନା ଖର୍ଚ୍ଚର ୩୦ରୁ ୪୦ ପ୍ରତିଶତ କେବଳ ଜେଟ୍ ଇନ୍ଧନ ପାଇଁ ଖର୍ଚ୍ଚ ହୋଇଥାଏ। ତେଣୁ ଇନ୍ଧନ ମୂଲ୍ୟବୃଦ୍ଧି ଯୋଗୁଁ ବିମାନ କମ୍ପାନିଗୁଡ଼ିକ ପାଖରେ ଭଡ଼ା ବୃଦ୍ଧି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେମାନେ ମତ ଦେଇଛନ୍ତି।
ଅନ୍ୟପଟେ, ପ୍ରାୟ ୧୦ରୁ ୧୨ଟି ଦେଶ ନିଜର ଆକାଶପଥ ବନ୍ଦ କରିଦେଇଛନ୍ତି। ଫଳରେ ବିମାନଗୁଡ଼ିକ ଲମ୍ବା ରୁଟ୍ ଦେଇ ଉଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହା ଫଳରେ ଉଡ଼ାଣ ସମୟ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାବେଳେ ଇନ୍ଧନ ଖର୍ଚ୍ଚରେ ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ବୋଝ ପଡ଼ିଛି।
ଏହି କ୍ରମବର୍ଦ୍ଧମାନ ଖର୍ଚ୍ଚର ପ୍ରଭାବ ସିଧାସଳଖ ଯାତ୍ରୀଙ୍କ ଟିକେଟ୍ ମୂଲ୍ୟରେ ଦେଖାଦେଇଛି। ପୂର୍ବରୁ ଦିଲ୍ଲୀରୁ ଲଣ୍ଡନ୍ ବିମାନ ଭଡ଼ା ସାଧାରଣତଃ ୩୨,୦୦୦ ଟଙ୍କାରୁ ୪୦,୦୦୦ ଟଙ୍କା ମଧ୍ୟରେ ରହୁଥିଲା, ତାହା ସୋମବାର ଦିନ ୯୦,୧୭୮ ଟଙ୍କାରେ ପହଞ୍ଚିଛି। ସେହିପରି, ଦିଲ୍ଲୀରୁ ଆବୁଧାବି ଟିକେଟ୍ ୧୧,୮୭୫ ଟଙ୍କାରୁ ୧୭,୦୦୦ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଆବୁଧାବିରୁ ଦିଲ୍ଲୀ ଫେରିବା ଭଡ଼ା ୪୨,୯୯୦ ଟଙ୍କାରେ ପହଞ୍ଚିଛି।
ବୃଦ୍ଧି ପାଉଥିବା ଜେଟ୍ ଇନ୍ଧନ ମୂଲ୍ୟକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ ରୁଟ୍ ପାଇଁ ଇନ୍ଧନ ସରଚାର୍ଜ ବୃଦ୍ଧି କରିଛି। ବିମାନ ଟରବାଇନ୍ ଇନ୍ଧନ (ଏଟିଏଫ୍) ମୂଲ୍ୟରେ ନିରନ୍ତର ବୃଦ୍ଧି ଯୋଗୁଁ ପରିଚାଳନା ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଆଗାମୀ ଦିନରେ ଭଡ଼ା ଆହୁରି ବୃଦ୍ଧି ପାଇବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।
ନୂଆ ହାର ଅନୁଯାୟୀ, ଘରୋଇ ଏବଂ ସାର୍କ ରୁଟ୍ ପାଇଁ ୩୯୯ ଟଙ୍କା ଇନ୍ଧନ ସରଚାର୍ଜ ଲାଗୁ ହେବ। ମଧ୍ୟପ୍ରାଚ୍ୟ ରୁଟ୍ ପାଇଁ ୧୦ ଡଲାର ଏବଂ ଦକ୍ଷିଣ-ପୂର୍ବ ଏସିଆ ରୁଟ୍ ପାଇଁ ୬୦ ଡଲାର ସରଚାର୍ଜ ନିର୍ଦ୍ଧାରଣ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆ ରୁଟ୍ ପାଇଁ ୨୦୦ ଡଲାର ପର୍ଯ୍ୟନ୍ତ ସରଚାର୍ଜ ଲାଗୁ କରିବାକୁ ବିମାନ କମ୍ପାନି ପ୍ରସ୍ତୁତି ଚଳାଇଛି।
ରେଟିଂ ଏଜେନ୍ସି ଆଇସିଆରଏର ସୂଚନା ଅନୁସାରେ, ଫେବୃଆରୀ ୨୮ରୁ ମାର୍ଚ୍ଚ ୫ ମଧ୍ୟରେ ଭାରତୀୟ ବିମାନ କମ୍ପାନିଗୁଡ଼ିକୁ ୧୭୭୦ଟି ଆନ୍ତର୍ଜାତୀୟ ବିମାନ ବାତିଲ କରିବାକୁ ପଡ଼ିଛି। ବିଶ୍ୱ ସ୍ତରରେ ଏହି ସଂଖ୍ୟା ୨୭ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହା କେବଳ ବିମାନ କମ୍ପାନିଗୁଡ଼ିକର ରାଜସ୍ୱ ହାନି କରିନାହିଁ, ବରଂ ଅତିରିକ୍ତ ବିମାନବନ୍ଦର ଶୁଳ୍କ ଏବଂ ଇନ୍ଧନ ଖର୍ଚ୍ଚ ବାବଦରେ ମଧ୍ୟ କ୍ଷତି ସହିବାକୁ ପଡ଼ିଛି।
ଆଇସିଆରଏର ଆକଳନ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ (ଏଫ୍ୱାଇ୨୫) କିମ୍ବା ଆଗାମୀ ଆର୍ଥିକ ବର୍ଷ (ଏଫ୍ୱାଇ୨୬)ରେ ଭାରତୀୟ ବିମାନ କମ୍ପାନିଗୁଡ଼ିକୁ ପ୍ରାୟ ୧୭ ହଜାରରୁ ୧୮ ହଜାର କୋଟି ଟଙ୍କାର ନିଟ୍ କ୍ଷତି ସହିବାକୁ ପଡ଼ିପାରେ। ଏହି ପରିସ୍ଥିତିରେ ବିମାନ କମ୍ପାନିଗୁଡ଼ିକ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିକଟରେ ଦାବି କରିଛନ୍ତି ଯେ, ଜେଟ୍ ଇନ୍ଧନ ଉପରେ ଟିକସ ରିହାତି ପ୍ରଦାନ କରାଯାଉ ଏବଂ ବିମାନବନ୍ଦର ଶୁଳ୍କ ହ୍ରାସ କରାଯାଉ। ଏହା ସହିତ ଭଡ଼ା ସୀମା ହଟାଇବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି, ଯାହା ଦ୍ଵାରା ବଜାର ପରିସ୍ଥିତି ଅନୁଯାୟୀ ଭଡ଼ା ନିର୍ଦ୍ଧାରଣ କରିପାରିବେ।
