FeaturedGeneralLatest

୧୩ ବର୍ଷ ଧରି କୋମାରେ ଥିବା ଯୁବକଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(ସଂକେତ ଟିଭି): ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ଇଚ୍ଛାମୃତ୍ୟୁ (Passive Euthanasia) ପାଇଁ ଆନୁଷ୍ଠାନିକ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଗତ ୧୩ ବର୍ଷ ହେଲା କୋମାରେ ଥିବା ୩୨ ବର୍ଷୀୟ ଯୁବକ ହରିଶ ରାଣାଙ୍କ ଲାଇଫ୍ ସପୋର୍ଟ ସିଷ୍ଟମ୍ ହଟାଇବା ପାଇଁ ବୁଧବାର ଅନୁମତି ପ୍ରଦାନ କରାଯାଇଛି।

ଜଷ୍ଟିସ୍ ଜେ.ବି. ପର୍ଦ୍ଦିୱାଲା ଏବଂ ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଣି କରି କହିଛନ୍ତି ଯେ, ୨୦୧୮ର କମନ୍ କଜ୍ ରାୟ ଅନୁସାରେ ସମ୍ମାନପୂର୍ଣ୍ଣ ମୃତ୍ୟୁବରଣର ଅଧିକାରକୁ ସ୍ୱୀକୃତି ଦିଆଯାଇଥିଲା। ଏହାର ପ୍ରଥମ ନ୍ୟାୟିକ କାର୍ଯ୍ୟକାରିତା ଭାବେ ଏବେ ହରିଶ ରାଣାଙ୍କ କ୍ଷେତ୍ରରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉଛି।

ଜାନୁଆରୀ ୧୫ ତାରିଖରେ ହରିଶଙ୍କ ପରିବାର ପକ୍ଷରୁ ଦାଖଲ ଆବେଦନକୁ ବିଚାର କରି ଶୁଣାଣି ଶେଷ କରିବା ପରେ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ। ପରିବାର ଲୋକେ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ହରିଶ ୧୩ ବର୍ଷ ଧରି ସମ୍ପୂର୍ଣ୍ଣ କୋମାରେ ଅଛନ୍ତି ଏବଂ ତାଙ୍କ ସୁସ୍ଥ ହେବାର କୌଣସି ସମ୍ଭାବନା ନାହିଁ। ତେଣୁ ତାଙ୍କୁ ଅଧିକ କଷ୍ଟ ନଦେଇ ଲାଇଫ୍ ସପୋର୍ଟ ସିଷ୍ଟମ୍ କାଢ଼ିନେବା ଉଚିତ।

ଶୁଣାଣି ସମୟରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି ଏବଂ ହରିଶଙ୍କ ପରିବାରର ଓକିଲ ରଶ୍ମୀ ନନ୍ଦନ କୁମାରଙ୍କ ଯୁକ୍ତି ଶୁଣିଥିଲେ। କୋର୍ଟଙ୍କୁ ଜଣାପଡ଼ିଥିଲା ଯେ, ହରିଶ ଅସ୍ତ୍ରୋପଚାର ମାଧ୍ୟମରେ ଲଗାଯାଇଥିବା PEG ଟ୍ୟୁବ ଦ୍ୱାରା କ୍ଲିନିକାଲି ଆଡମିନିଷ୍ଟର୍ଡ ନ୍ୟୁଟ୍ରିସନ୍ (CAN) ଉପରେ ବଞ୍ଚିଛନ୍ତି।

ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ, ରୋଗୀଙ୍କ ପରିବାର, ପ୍ରାଥମିକ ଏବଂ ଦ୍ବିତୀୟ ଡାକ୍ତରୀ ବୋର୍ଡଙ୍କ ମିଳିତ ମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତେ ଏହି ମତ ପୋଷଣ କରିଛନ୍ତି ଯେ, ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଆଉ CAN ଜାରି ରଖିବା ଉଚିତ୍ ନୁହେଁ।

କୋର୍ଟଙ୍କ ବିବରଣୀ ଅନୁସାରେ, ୨୦୧୩ ମସିହାରେ ହରିଶ ରାଣା ପଞ୍ଜାବ ୟୁନିଭର୍ସିଟିର ଛାତ୍ର ଥିବାବେଳେ ତାଙ୍କ ପେଇଂ ଗେଷ୍ଟ ବାସଭବନର ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ। ଏଥିରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା ଏବଂ ସେବେଠାରୁ ସେ ସମ୍ପୂର୍ଣ୍ଣ କୋମାରେ ଅଛନ୍ତି। ଡାକ୍ତରୀ ରିପୋର୍ଟ ଅନୁସାରେ ଗତ ୧୩ ବର୍ଷ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ୧୦୦ ପ୍ରତିଶତ କୌଣସି ଉନ୍ନତି ଘଟିନାହିଁ।

ରାୟ ପୂର୍ବରୁ ଜାନୁଆରୀ ୧୩ ତାରିଖରେ ବିଚାରପତି ହରିଶଙ୍କ ପରିବାର ଲୋକ ଏବଂ ତାଙ୍କ ସାନ ଭାଇଙ୍କୁ ଫୋନ୍ ଯୋଗେ ସମ୍ପର୍କ କରି ସାକ୍ଷାତ କରିଥିଲେ। ସେତେବେଳେ ପରିବାର ଲୋକେ ନିଜର ଅସହାୟତା ଏବଂ ହରିଶଙ୍କ ଯନ୍ତ୍ରଣା ବିଷୟରେ ଜଣାଇ କହିଥିଲେ ଯେ, ସେ ଆଉ କଷ୍ଟ ପାଆନ୍ତୁ ବୋଲି ସେମାନେ ଚାହାଁନ୍ତି ନାହିଁ।