CrimeFeaturedLatestNews

କଟକ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ, ମିଳିଳା ୭ କୋଟିଠୁ ଅଧିକ ବ୍ୟାଙ୍କ ଜମା

କଟକ(ସଂକେତ ଟିଭି): ଓଡ଼ିଶା ପ୍ରଶାସନିକ ସେବା (OAS)ର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ବଡ଼ ଧରଣର ଚଢ଼ାଉ କରୁଛି। କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ବିରୋଧରେ ଆଜି ଭିଜିଲାନ୍ସ ଟିମ୍ ଏକକାଳୀନ ୭ଟି ସ୍ଥାନରେ ରେଡ୍ କରୁଛି।

ସୂଚନା ଅନୁଯାୟୀ, ଶ୍ରୀ ସାମନ୍ତରାୟଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୭ କୋଟି ଟଙ୍କାରୁ ଅଧିକ ଜମା ଥିବା ଭିଜିଲାନ୍ସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏପର୍ଯ୍ୟନ୍ତ ତାଙ୍କ ବାସଭବନରୁ ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି। ଏହା ସହିତ ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ୧୦ରୁ ଅଧିକ ବ୍ୟାଙ୍କ ପାସବୁକ୍ ମଧ୍ୟ ଜବତ ହୋଇଛି।

ଚଢ଼ାଉ ଅଧୀନସ୍ଥ ସ୍ଥାନଗୁଡ଼ିକ ମଧ୍ୟରେ ରହିଛି:

  • ଭୁବନେଶ୍ୱର: ସହିଦନଗରଠାରେ ଥିବା ଏକ ତିନି ମହଲା ବିଲ୍ଡିଂ ଏବଂ ଅନ୍ୟ ଏକ ନିର୍ମାଣାଧୀନ ତିନି ମହଲା କୋଠା। ଏହା ସହିତ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର।
  • ପୁରୀ ଜିଲ୍ଲା: ଗଡ଼ିଶାଗଡ଼ ଥାନା ଅନ୍ତର୍ଗତ ଦୁଛିଆଗ୍ରାମରେ ଥିବା ପୈତୃକ ବାସଭବନ।
  • କେନ୍ଦ୍ରାପଡ଼ା ଜିଲ୍ଲା: ମାର୍ଶାଘାଇ ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘର।
  • କଟକ: କଣ୍ଟାପଡ଼ାସ୍ଥିତ ସରକାରୀ କ୍ୱାର୍ଟର୍ସ ଏବଂ ତାଙ୍କ କାର୍ଯ୍ୟାଳୟ।

ଏହି ବୃହତ୍ତ ଅପରେସନରେ ଭିଜିଲାନ୍ସ ବିଭାଗର ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୧ ଜଣ ଇନିସ୍ପେକ୍ଟର, ୫ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଯାଞ୍ଚ ଜାରି ରଖିଥିବା ଭିଜିଲାନ୍ସ ଟିମ୍ ଅଧିକ ସୂଚନା ପାଇଁ ତଦନ୍ତ କରୁଛି।