ଲାଞ୍ଚ ନେବା ବେଳେ ଏଏସଆଇ ଗିରଫ, ୧ ଲକ୍ଷ ୫୭ ହଜାର ଟଙ୍କା ଓ ୫ ହଜାର ଡଲାର ଜବତ
ରାଉରକେଲା (ସଂକେତ ଟିଭି): ରାଉରକେଲା ଭିଜିଲାନ୍ସ ବିଭାଗ ଏକ ବଡ଼ ସଫଳତା ପାଇଛି। ବଡ଼ଗାଁ ଥାନାର ସହକାରୀ ଉପ-ନିରୀକ୍ଷକ (ଏଏସଆଇ) ଅରୁପାନନ୍ଦ ଦାସ ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ଗତକାଲି ରାଉରକେଲା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ସହ ଧରିଥିଲା।
ଅଭିଯୋଗ ଅନୁଯାୟୀ, ବଡ଼ଗାଁର ରଞ୍ଜନ ଦାସ ଓରଫ ମୁନୁ ନାମକ ଜଣେ ବ୍ୟକ୍ତିଙ୍କୁ ଢାବାରେ ମଦ ବ୍ୟବସାୟ କରିବାକୁ ଅନୁମତି ଦେବା ପାଇଁ ଏଏସଆଇ ଅରୁପାନନ୍ଦ ପ୍ରତିମାସ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ। ଏହି ଲାଞ୍ଚ ଦାବିରେ ଉତ୍କଣ୍ଠିତ ହୋଇ ରଞ୍ଜନ ଦାସ ରାଉରକେଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଭିଜିଲାନ୍ସ ଏକ ଯୋଜନା ପ୍ରସ୍ତୁତ କଲା। ଯୋଜନା ମୁତାବକ, ଯେତେବେଳେ ଏଏସଆଇ ଜଣକ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ସେତିକିବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଘଟଣାସ୍ଥଳରୁ ତାଙ୍କୁ ଗିରଫ କରାଯାଇଥିଲା।
ଏହାପରେ ଏଏସଆଇ ଅରୁପାନନ୍ଦ ଦାସଙ୍କ ରହୁଥିବା ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ସେଠାରୁ ଭିଜିଲାନ୍ସ ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା, ୫ ହଜାର ଆମେରିକୀୟ ଡଲାର ଏବଂ ୧୫ଟି ଦେଶୀ ମଦ ବୋତଲ ଜବତ କରିଥିବା ସୂଚନା ମିଳିଛି। ଏହି ଘଟଣାକୁ କେନ୍ଦ୍ର କରି ଆୟ ବର୍ହିଭୂତ ସମ୍ପତ୍ତି ତଦନ୍ତ ଆରମ୍ଭ ହୋଇଛି।
ଏହି ଘଟଣା ବ୍ୟତୀତ, ଭିଜିଲାନ୍ସ ବିଭାଗ କଟକ କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିଛି ଦିନ ପୂର୍ବରୁ ସୂଚନା ମିଳିଥିଲା ଯେ ଜଣେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କ ବ୍ୟାଙ୍କ ଖାତାରେ ୭ କୋଟିରୁ ଅଧିକ ଟଙ୍କା ଜମା ରହିଛି। ଏବେ ସାମନ୍ତରାୟଙ୍କ ଘରେ ଚଢ଼ାଉ କରି ଭିଜିଲାନ୍ସ ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ୧୦ରୁ ଅଧିକ ବ୍ୟାଙ୍କ ପାସବୁକ ଜବତ କରିଛି।
ସାମନ୍ତରାୟଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଯାଞ୍ଚ କରିବା ପାଇଁ ଭିଜିଲାନ୍ସ ବିଭାଗ ତାଙ୍କ ସମ୍ପର୍କିତ ଏକାସାଙ୍ଗରେ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହି ୭ଟି ସ୍ଥାନ ମଧ୍ୟରେ କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଭୁକ୍ତ।
ଭୁବନେଶ୍ୱର ସହିଦନଗରରେ ଥିବା ତାଙ୍କର ଏକ ୩ ମହଲା ବିଲ୍ଡିଂ ଏବଂ ଏକ ନିର୍ମାଣାଧୀନ ୩ ମହଲା କୋଠାରେ ଚଢ଼ାଉ ଚାଲିଛି। ସେହିପରି ପୁରୀ ଜିଲ୍ଲା ଗଡ଼ିଶାଗଡ଼ ଥାନା ଅନ୍ତର୍ଗତ ଦୁଛିଆସ୍ଥିତ ତାଙ୍କ ପୈତୃକ ଘର, ଭୁବନେଶ୍ୱର ଲକ୍ଷ୍ମୀସାଗର, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ଥିବା ସମ୍ପର୍କୀୟଙ୍କ ଘର, କଣ୍ଟାପଡ଼ାରେ ଥିବା ସରକାରୀ କ୍ୱାର୍ଟର ଏବଂ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି।
ଏହି ବୃହତ୍ତ ଚଢ଼ାଉରେ ଭିଜିଲାନ୍ସର ଦୁଇ ଜଣ ଅତିରିକ୍ତ ପୋଲିସ ଅଧୀକ୍ଷକ (ଏସପି), ୮ ଜଣ ଉପ-ପୋଲିସ ଅଧୀକ୍ଷକ (ଡିଏସପି), ୧୧ ଜଣ ନିରୀକ୍ଷକ (ଇନିସ୍ପେକ୍ଟର), ୫ ଜଣ ସହକାରୀ ଉପ-ନିରୀକ୍ଷକ (ଏଏସଆଇ) ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।
