କଂଗ୍ରେସ ବିଧାୟକଙ୍କୁ ୫ କୋଟି ଲେଖାଏଁ ଅଫର, ବେଙ୍ଗାଲୁରୁରେ ୨ ଅଟକ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘୋଡ଼ା ବେପାରକୁ ନେଇ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। କଂଗ୍ରେସ ବିଧାୟକମାନଙ୍କୁ ୫ କୋଟି ଟଙ୍କା ଲେଖାଏଁ ଯାଚିବା ସହ ଭୋଟିଂରୁ ଦୂରେଇ ରହିବା ପାଇଁ ପ୍ରଲୋଭିତ କରାଯାଉଥିବା ଏକ ଗମ୍ଭୀର ଅଭିଯୋଗ ହୋଇଛି।
କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ବିଜେପି ସମର୍ଥିତ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ୪ ଜଣ ବିଶ୍ୱସ୍ତ ଲୋକ ବେଙ୍ଗାଲୁରୁରେ ପହଞ୍ଚି କଂଗ୍ରେସ ବିଧାୟକମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି।
ସାଂସଦ ଉଲାକା ଇଟିଭି ଭାରତକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, “ଆମ ଦଳର ୮ ଜଣ ବିଧାୟକଙ୍କ ସୁରକ୍ଷା ପାଇଁ ଆମେ ସେମାନଙ୍କୁ ବେଙ୍ଗାଲୁରୁ ଆଣିଛୁ। ଗତକାଲି ରାତିରେ ଓଡ଼ିଶାରୁ ୪ ଜଣ ବ୍ୟକ୍ତି ଆସି ବେଙ୍ଗାଳୁରୁରେ ଆମ ବିଧାୟକମାନେ ଥିବା ହୋଟେଲରେ ରହିଥିଲେ।”
“ଆଜି ସକାଳେ ଯେତେବେଳେ ଆମ ବିଧାୟକମାନେ ଜଳଖିଆ ଖାଉଥିଲେ, ସେତେବେଳେ ସେହି ବ୍ୟକ୍ତିମାନେ ସେମାନଙ୍କ ନିକଟରେ ରହିଥିଲେ। ବିଧାୟକମାନେ ଲିଫ୍ଟରେ ଯିବା ସମୟରେ ସେମାନେ ସାଙ୍ଗରେ ଆସିବାକୁ ଚେଷ୍ଟା କରିଥିଲେ। ସନ୍ଦେହ ହେବାରୁ ଯାଞ୍ଚ କରିବାରେ ଜାଣିବାକୁ ପାଇଲୁ ଯେ ସେମାନେ ଆମ ବିଧାୟକଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଛନ୍ତି। ଆମ ବିଧାୟକମାନଙ୍କୁ ୫ କୋଟି ଟଙ୍କା ଲେଖାଏଁ ଯାଚିବା ସହ କ୍ରସ ଭୋଟିଂ କିମ୍ବା ଭୋଟିଂରୁ ଦୂରେଇ ରହିବା ପାଇଁ ପ୍ରଲୋଭିତ କରାଯାଉଥିଲା,” ବୋଲି ସେ କହିଛନ୍ତି।
ଏପରିକି ଆମ ବିଧାୟକମାନଙ୍କୁ ଓଡ଼ିଶା ଫେରିବାକୁ ଦିଆଯିବନାହିଁ ବୋଲି ଧମକ ମଧ୍ୟ ଦିଆଯାଇଥିଲା। ଏହି ଘଟଣା ପରେ ଆମେ ପୋଲିସ ସହ ଯୋଗାଯୋଗ କରିଥିଲୁ। ପୋଲିସର ହସ୍ତକ୍ଷେପ କ୍ରମେ ସେମାନଙ୍କ ପାଖରୁ ରାଉରକେଲା ବ୍ରାଞ୍ଚର ବ୍ଲାଙ୍କ ଚେକ୍ ଜବତ ହୋଇଥିଲା। ସେମାନଙ୍କ ମୋବାଇଲ୍ ଯାଞ୍ଚରୁ ଜଣାପଡ଼ିଥିଲା ଯେ ସେମାନେ ଘୋଡ଼ା ବେପାର କରିବାକୁ ଚାହୁଁଥିଲେ। ସେମାନେ ୪ ଜଣ ଓଡ଼ିଶାର ବ୍ୟକ୍ତି ହୋଇଥିବା ବେଳେ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏନେଇ ପୋଲିସରେ ଲିଖିତ ଅଭିଯୋଗ କରାଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି, “ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗତକାଲି ଘୋଡ଼ା ବେପାର ହେଉଥିବା କଥା କହିଥିଲେ। ଆମ ପାଖରେ ଏବେ ତାହାର ପ୍ରମାଣ ରହିଛି। ତଦନ୍ତ ଜାରି ରହିଛି, ଆଗକୁ ସବୁ ସ୍ପଷ୍ଟ ହୋଇଯିବ।”
