ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ପିସିସିର କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ୱର (ସଂକେତ ଟିଭି): ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଶୃଙ୍ଖଳା କମିଟି ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଦଳୀୟ ଶୃଙ୍ଖଳା ଅବମାନନା ଅଭିଯୋଗରେ ତାଙ୍କୁ ଏହି ନୋଟିସ୍ ପଠାଯାଇଛି। ଆଜି (ରବିବାର) ସନ୍ଧ୍ୟା ୬ଟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପିସିସି ପକ୍ଷରୁ ଜାରି ନୋଟିସ୍ରେ କୁହାଯାଇଛି ଯେ, ଆସନ୍ତା ୧୬ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ସମସ୍ତ ବିଧାୟକଙ୍କୁ ୧୩ ତାରିଖରୁ ଭୁବନେଶ୍ଵରରେ ରହିବା ପାଇଁ ହ୍ବିପ୍ ଜାରି କରାଯାଇଥିଲା।
ନୋଟିସ୍ରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ଗତ ୮ ମାର୍ଚ୍ଚ ୨୦୨୬ରୁ ଆରମ୍ଭ କରି ଏକ ସପ୍ତାହ ଧରି ପିସିସି ସଭାପତି ଶ୍ରୀ ଗମାଙ୍ଗଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଉପଲବ୍ଧ ହୋଇପାରି ନାହାନ୍ତି। ଏଆଇସିସିର ଓଡ଼ିଶା ଇନ୍-ଚାର୍ଜ ଅଜୟ କୁମାର ଲଲ୍ଲୁ ଏବଂ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଛନ୍ତି। କେବଳ ଫୋନ୍ ନୁହେଁ, ଭୁବନେଶ୍ଵରସ୍ଥିତ ତାଙ୍କ ବାସଭବନ ଏବଂ ତାଙ୍କ ଗ୍ରାମରେ ମଧ୍ୟ ତାଙ୍କୁ ଖୋଜିବାକୁ ଚେଷ୍ଟା କରାଯାଇଥିଲା।
ନୋଟିସ୍ରେ ଆହୁରି କୁହାଯାଇଛି ଯେ, ରାଜ୍ୟସଭା ନିର୍ବାଚନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଜଣେ ବିଧାୟକଙ୍କର ରହସ୍ୟମୟ ଭାବେ ନିଖୋଜ ହୋଇଯିବା ରାଜ୍ୟବାସୀଙ୍କ ନିକଟରେ ଏକ ଭୁଲ୍ ବାର୍ତ୍ତା ପହଞ୍ଚାଉଛି। ବିଶେଷକରି ଯେତେବେଳେ କଂଗ୍ରେସ, ବିଜେଡି ଏବଂ ସିପିଆଇ(ଏମ୍) ମିଳିତ ଭାବେ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ସେଠାରେ ଶ୍ରୀ ଗମାଙ୍ଗଙ୍କ ଠିକଣା ନଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇ ଜନମାନସରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି।
ତାଙ୍କ ଇଚ୍ଛା ବିରୋଧରେ ଅପହରଣ ହୋଇଥିବା ନେଇ ତାଙ୍କ ନିକଟସ୍ଥ କୌଣସି ସୂତ୍ରରୁ ସୂଚନା କିମ୍ବା ଅଭିଯୋଗ ନ ମିଳିବାରୁ ପିସିସି ମନେ କରୁଛି ଯେ ସେ ସ୍ଵେଚ୍ଛାକୃତ ଭାବେ ଆତ୍ମଗୋପନ କରିଛନ୍ତି। ତାଙ୍କର ଏଭଳି କାର୍ଯ୍ୟକଳାପରୁ ସ୍ପଷ୍ଟ ହେଉଛି ଯେ ସେ ଦଳଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି।
ଏଣୁ ଆଜି ୧୫ ମାର୍ଚ୍ଚ ୨୦୨୬ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ବ୍ୟକ୍ତିଗତ ଭାବେ ଦଳୀୟ କାର୍ଯ୍ୟାଳୟରେ ହାଜର ହୋଇ ନିଜର ଏହି ବିଶୃଙ୍ଖଳିତ ଆଚରଣ ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ କରା ନ ଯିବ, ତାହାର ଲିଖିତ ବ୍ୟାଖ୍ୟା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ହାଜର ହୁଅନ୍ତି ନାହିଁ କିମ୍ବା ସନ୍ତୋଷଜନକ ଉତ୍ତର ପ୍ରଦାନ କରନ୍ତି ନାହିଁ, ତେବେ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ବାଧ୍ୟ ହେବ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି।
