ରାଜ୍ୟସଭା ନିର୍ବାଚନ: ପାରାଦ୍ଵୀପ ଗଲେ ବିଜେପିର ବିଧାୟକ ଓ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ଆଉ ମାତ୍ର ୨୪ ଘଣ୍ଟା ବାକି ଥିବାବେଳେ ରାଜନୈତିକ ମହଲରେ ଘୋଡ଼ା ବେପାରର ଭୟ ସବୁଠାରୁ ଅଧିକ ଦେଖାଦେଇଛି। ଏହି ପୃଷ୍ଠଭୂମିରେ ଦଳୀୟ ବିଧାୟକଙ୍କୁ ଏକାଠି କରି ରଖିବା ଏବଂ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା ଜୋର ଧରିଛି। ଶାସକ ଦଳ ବିଜେପି ନିଜର ସମସ୍ତ ବିଧାୟକଙ୍କୁ ପାରାଦ୍ଵୀପସ୍ଥିତ ଏକ ତାରକା ହୋଟେଲକୁ ନେଇଯାଇଛନ୍ତି। ଭୁବନେଶ୍ଵରରୁ ଦୁଇଟି ସ୍ଵତନ୍ତ୍ର ବସ୍ରେ ବିଧାୟକମାନେ ପାରାଦ୍ଵୀପ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସେମାନଙ୍କୁ ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବା ପାଇଁ ବିସ୍ତୃତ ତାଲିମ ଦିଆଯିବ। କେମିତି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ, ବାଲାଟ୍ ପେପରର ବ୍ୟବହାର କିପରି ହେବ ସେନେଇ ଏହି ତାଲିମ କାର୍ଯ୍ୟକ୍ରମ ହେବ।
ସୂଚନାଯୋଗ୍ୟ, ରାଜ୍ୟରେ ଶାସନ ଭାର ସମ୍ଭାଳୁଥିବା ବିଜେପିର ଅଧିକାଂଶ ବିଧାୟକ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏହା ସେମାନଙ୍କ ପ୍ରଥମ ରାଜ୍ୟସଭା ନିର୍ବାଚନ ଅଟେ। ବର୍ତ୍ତମାନ ରାଜ୍ୟରେ ଚତୁର୍ଥ ରାଜ୍ୟସଭା ଆସନକୁ ନେଇ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ ହୋଇପଡିଛି। କୌଣସି ଭୋଟ୍ ବେକାର ନ ହେଉ କିମ୍ବା କ୍ରସ୍ ଭୋଟିଂ ନ ହୁଏ, ସେଥିପାଇଁ ବିଜେପି ଏହି ବ୍ୟାପକ ତାଲିମର ଆୟୋଜନ କରିଛି। ପାରାଦ୍ଵୀପ ହୋଟେଲରେ ଦଳୀୟ ସଭାପତି, ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀମାନେ ଉପସ୍ଥିତ ରହି ବିଧାୟକଙ୍କୁ ଉତ୍ସାହିତ କରିବେ।
ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଏବଂ ସମସ୍ତ ବିଧାୟକ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ପରେ ବିଧାୟକମାନଙ୍କୁ ପ୍ରାଥମିକ ତାଲିମ ଦିଆଯାଇଥିଲା। ପରେ ସମସ୍ତ ବିଧାୟକ ବସ୍ ଯୋଗେ ପାରାଦ୍ଵୀପ ଅଭିମୁଖେ ଯାତ୍ରା କରିଥିଲେ। ସୋମବାର ସକାଳେ ସେମାନେ ସିଧାସଳଖ ପାରାଦ୍ଵୀପରୁ ବିଧାନସଭାରେ ପହଞ୍ଚି ଭୋଟ୍ ଦାନ ପ୍ରକ୍ରିୟାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ଅନ୍ୟପଟେ, ବିରୋଧୀ ଦଳ ବିଜେଡି ପକ୍ଷରୁ ମଧ୍ୟ ସମାନ ପ୍ରକାର ପ୍ରସ୍ତୁତି ଦେଖିବାକୁ ମିଳିଛି। ଆଜି ବିଧାନସଭାରେ ବିଜେଡି ବିଧାୟକମାନଙ୍କ ପାଇଁ ବିଧାନସଭା ସଚିବଙ୍କ ଦ୍ୱାରା ଏକ ମକ୍ ଡ୍ରିଲ୍ (ଅଭ୍ୟାସ) କରାଯାଇଥିଲା। କେଉଁଠୁ ବାଲାଟ୍ ପେପର ଆଣିବେ, କିଭଳି ପେନ୍ ବ୍ୟବହାର କରିବେ, ଭୋଟ୍ ଦେବା ସମୟରେ କେଉଁଠି ବସିବେ—ଏସବୁ ବିଷୟରେ ଗୋଟି ଗୋଟି କରି ବୁଝାଇ ଦିଆଯାଇଥିଲା। ଏହି ଅଭ୍ୟାସ ପରେ ସମସ୍ତ ବିଜେଡି ବିଧାୟକ ନବୀନ ନିବାସରେ ପହଞ୍ଚି ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ। ପୁଣି ସନ୍ଧ୍ୟାରେ ସେମାନେ ନବୀନ ନିବାସରେ ଏକାଠି ହୋଇଥିଲେ। କୌଣସି ବିଧାୟକ ଯେପରି କ୍ରସ୍ ଭୋଟିଂ ନ କରନ୍ତି, ସେ ନେଇ ଦଳ ତରଫରୁ ବୁଝାବୁଝି କରାଯାଉଥିବା ସୂଚନା ମିଳିଛି। ନବୀନ ପଟ୍ଟନାୟକ ନିଜେ ପ୍ରତ୍ୟେକ ବିଧାୟକଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ଜଣାପଡିଛି।
