FeaturedLatestNewsPolitics

କ୍ରସ୍ ଭୋଟିଂ କରି ନିଜ କ୍ୟାରିୟରକୁ ଅନିଶ୍ଚିତ କଲେ ସୋଫିଆ ଫିର୍ଦୋସ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା କଂଗ୍ରେସରେ ସୋଫିଆ ଫିର୍ଦୋସଙ୍କୁ ଦଳର ଭବିଷ୍ୟତ ଭାବେ ବିବେଚନା କରାଯାଉଥିଲା। କଟକର ଐତିହାସିକ ବାରବାଟୀ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ସୋଫିଆ ଥିଲେ ଦଳର ଯୁବ ଚେହେରା ଏବଂ ତାଙ୍କ ଉପରେ ଭବିଷ୍ୟତର ବଡ଼ ଦାୟିତ୍ୱ ରହିଥିବା ଆକଳନ କରାଯାଉଥିଲା। କିନ୍ତୁ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ସେ ନିଜର ରାଜନୈତିକ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକ ଭାବେ ସୋଫିଆ ଫିର୍ଦୋସ ଦଳୀୟ ହ୍ୱିପ୍ ଅମାନ୍ୟ କରି ବିଜେଡି-କଂଗ୍ରେସ ମେଣ୍ଟ ସମର୍ଥିତ ପ୍ରାର୍ଥୀ ଡ. ଦତ୍ତେଶ୍ୱର ହୋତାଙ୍କୁ ନ ଭୋଟ୍ ଦେଇ ଭାଜପା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ। ଏହି କ୍ରସ୍ ଭୋଟିଂ ଯୋଗୁଁ କଂଗ୍ରେସର ଅନ୍ୟ ଦୁଇ ବିଧାୟକ ରମେଶ ଜେନା ଓ ଦାଶରଥୀ ଗମାଙ୍ଗଙ୍କ ସହିତ ସେ ଦଳର ଶୃଙ୍ଖଳା ଭଙ୍ଗ କରିଛନ୍ତି।

ରାଜନୈତିକ ବିଶ୍ଳେଷକଙ୍କ ମତରେ, ସୋଫିଆଙ୍କ ଏହି ପଦକ୍ଷେପ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ଏକ ବଡ଼ ଝଟକା। କଂଗ୍ରେସ ଦଳର ସେ ଯୁବ ଚେହେରା ଥିଲେ । ଜଣେ ଯୁବ ନେତ୍ରୀ ଭାବେ ତାଙ୍କ ଉପରେ ଦଳ ବଡ଼ ଆଶା ରଖିଥିଲା। ଏପରିକି କିଛି ଲୋକ ତାଙ୍କୁ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ । କିନ୍ତୁ ଦଳୀୟ ହ୍ୱିପ୍ ଅମାନ୍ୟ କରି ସେ କେବଳ ନିଜର ବିଶ୍ୱସନୀୟତାକୁ ପ୍ରଶ୍ନବାଚୀର ସମ୍ମୁଖୀନ କରିଛନ୍ତି ନାହିଁ, ବରଂ ଦଳରେ ତାଙ୍କ ଭବିଷ୍ୟତ ମଧ୍ୟ ଅନିଶ୍ଚିତ ହୋଇପଡ଼ିଛି।

ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ତିନି ବିଧାୟକଙ୍କୁ ନିଲମ୍ବିତ କରିବା ସହିତ ସେମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିବେ ବୋଲି କହିଛନ୍ତି। ଯଦି ସୋଫିଆଙ୍କ ସଦସ୍ୟତା ରଦ୍ଦ ହୁଏ, ତେବେ ବାରବାଟୀ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାଦ୍ୱାରା କଂଗ୍ରେସକୁ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହରାଇବାର ସମ୍ଭାବନା ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ମୋଟ ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ। ବିଜେଡିର ୮ ବିଧାୟକ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ଅନ୍ୟଙ୍କୁ ସମର୍ଥନ କରିଥିଲେ। କିନ୍ତୁ କଂଗ୍ରେସ ମାମଲାରେ, ତିନି ବିଧାୟକଙ୍କ ଏହି କ୍ରସ୍ ଭୋଟିଂ ଦଳ ପାଇଁ ଏକ ବଡ଼ ଧକ୍କା ଭାବେ ପରିଗଣିତ ହୋଇଛି।