କାବୁଲ ହସ୍ପିଟାଲ ଉପରେ ପାକିସ୍ତାନର ଆକ୍ରମଣ, ୪୦୦ ମୃତ : ଭାରତର କଡା ନିନ୍ଦା
ନୂଆଦିଲ୍ଲୀ (ସଂକେତ ଟିଭି): ଆଫଗାନିସ୍ତାନର ରାଜଧାନୀ କାବୁଲରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣର ଭାରତ କଡା ନିନ୍ଦା କରିଛି। ସୋମବାର ରାତିରେ କାବୁଲର ଏକ ହସ୍ପିଟାଲକୁ ପାକିସ୍ତାନୀ ସେନା ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ୪୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ ରୁ ଅଧିକ ଆହତ ହୋଇଛନ୍ତି। ଭାରତ ସରକାର ଏହି ଘଟଣାକୁ ‘ବର୍ବର, ଭୀରୁତାପୂର୍ଣ୍ଣ ଏବଂ ଅମାନବୀୟ’ ଆଖ୍ୟା ଦେଇଛନ୍ତି।
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ ପାକିସ୍ତାନର ଏହି ଆକ୍ରମଣ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଏକ ସୁନିୟୋଜିତ ନରସଂହାର। ମନ୍ତ୍ରାଳୟ କହିଛି ଯେ ଯେଉଁ ହସ୍ପିଟାଲକୁ ଟାର୍ଗେଟ କରାଯାଇଛି, ତାହା ଏକ ବେସାମରିକ ସୁବିଧା କେନ୍ଦ୍ର ଥିଲା, ଯେଉଁଠାରେ କୌଣସି ସାମରିକ ଗତିବିଧି ନଥିଲା। ଏଭଳି ଏକ ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରିବା ଅନ୍ତର୍ଜାତୀୟ ଆଇନର ସ୍ପଷ୍ଟ ଉଲ୍ଲଘନ ବୋଲି ଭାରତ ମତ ପୋଷଣ କରିଛି।
ଭାରତ ଆହୁରି ମଧ୍ୟ କହିଛି ଯେ ଏହି ଆକ୍ରମଣ ପାକିସ୍ତାନର ସାମରିକ ଅପରେସନର ମୁଖା ପିନ୍ଧି କରାଯାଇଥିବା ଏକ ଜଘନ୍ୟ ଅପରାଧ। ଏହାକୁ କୌଣସି ପ୍ରକାରେ ଯଥାର୍ଥ ଠହରାଯାଇ ପାରିବ ନାହିଁ। ଏଭଳି ଘଟଣାର ନିନ୍ଦା କରିବା ପାଇଁ ଭାରତ ଅନ୍ତର୍ଜାତୀୟ ସମୁଦାୟଙ୍କୁ ମଧ୍ୟ ଆଗେଇ ଆସିବାକୁ ଆହ୍ଵାନ ଦେଇଛି। କୌଣସି ଧର୍ମ ବା ମାନବୀୟ ମୂଲ୍ୟବୋଧ ହସ୍ପିଟାଲ ଭଳି ନାଗରିକ ପ୍ରତିଷ୍ଠାନ ଉପରେ ଆକ୍ରମଣକୁ ସମର୍ଥନ କରେ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି।
ଏହି ଆକ୍ରମଣକୁ ନେଇ ଆଫଗାନିସ୍ତାନର ତାଲିବାନ ସରକାର ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ଆଫଗାନ୍ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନର ଏହି କୁତ୍ସିତ କାର୍ଯ୍ୟର ଉପଯୁକ୍ତ ଜବାବ ଦିଆଯିବ। ଆଫଗାନିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରବକ୍ତା ଶରାଫତ୍ ଜମାନ କହିଛନ୍ତି ଯେ ଆକ୍ରମଣସ୍ଥଳଟି ଏକ ନିଶା ମୁକ୍ତି କେନ୍ଦ୍ର ଥିଲା, ଯେଉଁଠାରେ ଅନେକ ନିରୀହ ଲୋକ ଚିକିତ୍ସିତ ହେଉଥିଲେ।
ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ କୌଣସି ସ୍ୱୀକାରୋକ୍ତି କରାଯାଇନଥିବା ବେଳେ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ପାକିସ୍ତାନୀ ସେନା ଦାବି କରିଛି ଯେ ସେମାନେ ଏକ ସାମରିକ ଟାର୍ଗେଟକୁ ନିଶାନା ବାନ୍ଧିଥିଲେ, ହସ୍ପିଟାଲକୁ ନୁହେଁ।
