କଟକ ବଡ଼ ମେଡ଼ିକାଲ ଅଗ୍ନିକାଣ୍ଡ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ
ଭୁବନେଶ୍ୱର (ସଂକେତ ଟିଭି): କଟକ ବଡ଼ ମେଡ଼ିକାଲ (SCB) ଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ରାଜନୀତି ତେଜିଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଅନ୍ୟପକ୍ଷରେ, ରାଜ୍ୟ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ପାଇଁ ୪୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି।
ଗତକାଲି SCB ମେଡିକାଲ ପରିଦର୍ଶନ କରିଥିବା ନବୀନ ପଟ୍ଟନାୟକ ଆଜି ଏକ ବିବୃତ୍ତିରେ କହିଛନ୍ତି, “ଆଜି ମୁଁ ଭାରାକ୍ରାନ୍ତ ହୃଦୟରେ ଏଠାରେ ଠିଆ ହୋଇଛି। ମୁଁ ଯାହା ଦେଖିଲି ତାହା କେବଳ ଏକ ଦୁଃଖଦ ଦୁର୍ଘଟଣାର ଦୃଶ୍ୟ ନୁହେଁ, ବରଂ ଆମ ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଭୁଶୁଡ଼ିପଡ଼ୁଥିବା ସୁରକ୍ଷା ମାନଦଣ୍ଡର ଏକ ସ୍ପଷ୍ଟ ଉଦାହରଣ।”
ସୋମବାର ପ୍ରତ୍ୟୁଷରେ ଟ୍ରମା କେୟାର ICUରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଅନେକ ମୂଲ୍ୟବାନ ଜୀବନ ଚାଲିଯାଇଥିବାରୁ ସେ ତୀବ୍ର ଶୋକ ପ୍ରକାଶ କରିଥିଲେ। “ଏମାନେ ରୋଗୀ ଥିଲେ ଯେଉଁମାନେ ସୁସ୍ଥ ହେବାର ଆଶା ନେଇ ହସ୍ପିଟାଲକୁ ଆସିଥିଲେ, କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏକ ଭୟଙ୍କର ମୃତ୍ୟୁ ଘଟିଥିଲା,” କହି ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ।
ସେ ଆହୁରି କହିଥିଲେ ଯେ ପରିବାରଗୁଡ଼ିକ ଶୋକ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପଛରେ ଲୁଚି ରହିପାରିବ ନାହିଁ। “ଏକ ନ୍ୟାୟିକ ତଦନ୍ତ ସ୍ୱାଗତଯୋଗ୍ୟ, କିନ୍ତୁ ଏହା ରାଜନୈତିକ ନେତୃତ୍ୱକୁ ଏହାର ଦାୟିତ୍ୱରୁ ମୁକ୍ତ କରେ ନାହିଁ। ତେଣୁ, ମୁଁ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ଇସ୍ତଫା ଦାବି କରୁଛି,” ନବୀନ କହିଛନ୍ତି। ସୁରକ୍ଷା ତଦାରଖରେ ଏହି ଭୟଙ୍କର ତ୍ରୁଟି ପାଇଁ ତାଙ୍କୁ ନୈତିକ ଦାୟିତ୍ୱ ନେବାକୁ ପଡିବ ବୋଲି ସେ କହିଛନ୍ତି।
ଏହା ସହିତ, ବର୍ତ୍ତମାନ ଘୋଷଣା କରାଯାଇଥିବା ଅନୁକମ୍ପା ରାଶିକୁ ଅପର୍ଯ୍ୟାପ୍ତ କହି ସେ ପ୍ରତ୍ୟେକ ମୃତ ପୀଡିତଙ୍କ ପରିବାର ପାଇଁ ₹୫୦ ଲକ୍ଷ ସହାୟତା ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଅଗ୍ନିକାଣ୍ଡ ଘଟିବା ତୁରନ୍ତ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଗୁରୁତର ରୋଗୀଙ୍କୁ ଅନ୍ୟ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ମୋଟ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦେବଦୂତ ଭଳି ଉଦ୍ଧାରକାର୍ଯ୍ୟ କରୁଥିବା ୧୧ ଜଣ ମେଡିକାଲ କର୍ମଚାରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ଘଟଣା ପରେ ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ଆହତଙ୍କୁ ଭେଟିବା ସହ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଫୋନ୍ରେ କଥା ହୋଇ ଆବଶ୍ୟକୀୟ ସହାୟତାର ଆଶ୍ୱାସନା ଦେଇଛନ୍ତି।
ଏହି ଘଟଣା ଭିତରେ ରାଜ୍ୟରେ ଥିବା ୨୦୧୦ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ଯାଞ୍ଚ ଶେଷ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେଗୁଡ଼ିକର ଆବଶ୍ୟକତା ଅନୁଧ୍ୟାନ କରାଯାଇ ପୂରଣ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି।
ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ୪୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା କରାଯାଇଛି। ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏଥିସହ ଏକ ଇଣ୍ଟର-ଡିପାର୍ଟମେଣ୍ଟାଲ ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ଗଠନ କରାଯାଇଥିବା ବେଳେ ଉନ୍ନୟନ କମିଶନର କ୍ଷେତ୍ର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି।
