FeaturedGeneralLatestPolitics

ପଶ୍ଚିମବଙ୍ଗ ନିର୍ବାଚନ: ଟିଏମସି ଘୋଷଣା କଲା ୨୯୧ ଆସନର ପ୍ରାର୍ଥୀ

କୋଲକାତା(ସଂକେତ ଟିଭି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସରଗରମ ଲାଗିରହିଛି । ଆଜି (ମଙ୍ଗଳବାର) ଶାସକ ତୃଣମୂଳ କଂଗ୍ରେସ (TMC) ୨୯୧ ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ତରଫରୁ ମୋଟ ୨୯୪ ଆସନ ମଧ୍ୟରୁ ୨୯୧ଟି ଆସନରେ ପ୍ରାର୍ଥୀ ଦିଆଯାଇଥିବା ବେଳେ ବାକି ୩ଟି ଆସନ ପାଇଁ ପରବର୍ତ୍ତୀ ପର୍ଯ୍ୟାୟ ତାଲିକାରେ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ସୋମବାର ବିଜେପି ୧୪୪ ଆସନ ପାଇଁ ନିଜର ପ୍ରାର୍ଥୀ ତାଲିକା ଜାରି କରିଥିଲା ।

ରାଜ୍ୟରେ ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମେ’ ୪ ତାରିଖରେ ଭୋଟ୍ ଗଣନା ପରେ ଫଳାଫଳ ପ୍ରକାଶ ପାଇବ । ଶାସକ ଟିଏମସି ପୁଣିଥରେ କ୍ଷମତାକୁ ଫେରିବାକୁ ଆଶାବାଦୀ ଥିବାବେଳେ ବିଜେପି ଶାସନ ପରିବର୍ତ୍ତନ କରିବା ଲକ୍ଷ୍ୟ ନେଇ ମୈଦାନରେ ରହିଛି ।

ଆଜି ଘୋଷିତ ଟିଏମସି ତାଲିକା ଅନୁସାରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନନ୍ଦୀଗ୍ରାମରୁ ନ ଲଢ଼ି ଭବାନୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ଏହାର ଅର୍ଥ ହେଉଛି, ଭବାନୀପୁର ଆସନରେ ମମତା ବାନାର୍ଜୀ ଏବଂ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ । ଉଲ୍ଲେଖଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିଲେ । ପରବର୍ତ୍ତୀ ଉପନିର୍ବାଚନରେ ସେ ଭବାନୀପୁର ଆସନରୁ ବିଜୟୀ ହୋଇ ବିଧାୟିକା ହୋଇଥିଲେ । ବିଜେପି ପକ୍ଷରୁ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭବାନୀପୁର ଏବଂ ନନ୍ଦୀଗ୍ରାମ ଦୁଇଟି ଆସନରୁ ପ୍ରାର୍ଥୀ କରାଯାଇଛି।

ପ୍ରାର୍ଥୀ ତାଲିକା ଘୋଷଣା ଅବସରରେ ମମତା ବାନାର୍ଜୀ ଦାବି କରିଛନ୍ତି ଯେ, ଟିଏମସି ଏଥର ୨୨୬ ଆସନରେ ବିଜୟୀ ହେବ । ସେ ବିଜେପିକୁ ବହିଷ୍କାର କରିବାକୁ ଓ “ନୋ ଭୋଟ୍ ଫର୍ ବିଜେପି” ସ୍ଲୋଗାନ ଦେଇଛନ୍ତି । ମମତା ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ୫୦ ଆସନ ମଧ୍ୟ ଜିତିପାରିବ ନାହିଁ । ଏହାରି ମଧ୍ୟରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପାଇଁ ସମସ୍ତଙ୍କ ନଜର ରହିଛି, ଯାହା ପରେ ଅନ୍ୟ ଆସନଗୁଡ଼ିକର ପ୍ରାର୍ଥୀ ସ୍ପଷ୍ଟ ହେବ ।