FeaturedLatestNews

ଅଫିସ୍‌ ଭିତରେ ପଶି ଆରଆଇଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼: ଭାଇରାଲ୍ ହେଲା ଭିଡିଓ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲରେ ଜଣେ ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ)ଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ପଶି ମରଣାନ୍ତକ ଆକ୍ରମଣ କରାଯାଇଥିବାର ଏକ ଚମକପ୍ରଦ ଘଟଣା ସାମ୍ନାକୁ ଆସିଛି। ଆରଆଇ ତାପସ ରଞ୍ଜନ ଜେନା ଅଫିସରେ କାମ କରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ଚାନ୍ଦବାଲି ତହସିଲ ସାରଣା ଆରଆଇ ତାପସ ରଞ୍ଜନ ଜେନା ନିଜ କାର୍ଯ୍ୟାଳୟରେ ଉପସ୍ଥିତ ଥିବାବେଳେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗାଁର ସୁବାସ ଦାସ ନାମକ ବ୍ୟକ୍ତି ତାଙ୍କ ସହ କୌଣସି କଥାକୁ ନେଇ ବଚସାରେ ଜଡ଼ିତ ହୋଇଥିଲେ। ଏହି ବଚସା ଏତେ ଉଗ୍ର ରୂପ ନେଲା ଯେ ସୁବାସ ଉତ୍କ୍ଷିପ୍ତ ହୋଇ ଆରଆଇଙ୍କୁ ଅଫିସ୍ ଭିତରେ ହିଁ ଆକ୍ରମଣ କରି ମାଡ଼ ମାରିବାକୁ ଲାଗିଲେ। ଆକ୍ରମଣର ଶିକାର ହୋଇଥିବା ଆରଆଇ ଜେନାଙ୍କୁ ତୁରନ୍ତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ମାଡ଼ ଘଟଣାରେ ଆରଆଇ ଶ୍ରୀ ଜେନା ଚାନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତହସିଲଦାରଙ୍କ ନିକଟରେ ମଧ୍ୟ ସେ ଏତଲା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଫେବୃୟାରୀ ମାସରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ତହସିଲ ଅଧୀନ ଶ୍ରୀରାମପୁରର ଆରଆଇ ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିଲେ। ସୁବର୍ଣ୍ଣରେଖା ନଦୀ ପାଳପଡ଼ାରେ ଚାଲିଥିବା ବେଆଇନ ବାଲି ଉତ୍ତୋଳନକୁ ନେଇ ଚଢ଼ାଉ କରିବା ସମୟରେ ଆରଆଇ ଟୁଡୁ ଏହି ଆକ୍ରମଣର ଶିକାର ହୋଇଥିଲେ। ସେହି ଘଟଣାରେ ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ ବାଲିଆପାଳ ଥାନାରେ ମାମଲା ରୁଜୁ କରିଥିଲେ।