FeaturedGeneralLatestPolitics

ଏନଡିଏ ଆସନ ଭାଗବଣ୍ଟା ଚୂଡ଼ାନ୍ତ, ବିଜେପିକୁ ୨୭ ଆସନ ଛାଡ଼ିଲା ଏଆଇଏଡିଏମକେ

ଚେନ୍ନାଇ (ସଂକେତ ଟିଭି): ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମେଣ୍ଟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି। ସୋମବାର ଚେନ୍ନାଇସ୍ଥିତ ଏଆଇଏଡିଏମକେ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ସିଟ୍ ବଣ୍ଟନକୁ ଅନ୍ତିମ ରୂପ ଦିଆଯାଇଛି। ଏଆଇଏଡିଏମକେ ସାଧାରଣ ସମ୍ପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ପାଲାନୀସ୍ୱାମୀ ଏବଂ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ଉପସ୍ଥିତିରେ ଏହି ବୁଝାମଣା ସିଲ୍ ହୋଇଛି।

ଆସନ ବୁଝାମଣା ଅନୁସାରେ, ଆସନ୍ତା ଏପ୍ରିଲ ୨୩ରେ ଅନୁଷ୍ଠିତ ହେବାକୁ ଥିବା ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଏଆଇଏଡିଏମକେ ବିଜେପିକୁ ୨୭ଟି ଆସନ ଛାଡ଼ିଛି। ସେହିପରି ପିଏମକେକୁ ୧୮ଟି ଆସନ ଦିଆଯାଇଥିବା ବେଳେ ଏଏମଏମକେ ୧୧ଟି ଆସନରେ ଲଢ଼ିବ। ବୈଠକରେ ଏଆଇଏଡିଏମକେ ନେତା କେ. ପଲାନୀସ୍ୱାମୀ, କେନ୍ଦ୍ରମନ୍ତ୍ରୀ ତଥା ତାମିଲନାଡୁ ବିଜେପି ନିର୍ବାଚନ ପ୍ରଭାରୀ ପିୟୁଷ ଗୋୟଲ, ରାଜ୍ୟ ବିଜେପି ସଭାପତି ନୈନାର ନାଗେନ୍ଥ୍ରନ, ପିଏମକେ ସଭାପତି ଅମ୍ବୁମଣୀ ରାମଦାସ ଏବଂ ଏଏମଏମକେ ସାଧାରଣ ସମ୍ପାଦକ ଟି.ଟି.ଭି. ଦିନାକରଣ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସିଟ୍ ବଣ୍ଟନ ପରେ ଏନଡିଏ ନେତାମାନେ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ରାଜ୍ୟରେ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବ। ସିଟ୍ ବଣ୍ଟନର ଏହି ଫର୍ମୂଲା ମାଧ୍ୟମରେ ଏଆଇଏଡିଏମକେ ନିଜର ପ୍ରମୁଖ ସହଯୋଗୀମାନଙ୍କୁ ସନ୍ତୁଷ୍ଟ କରିବା ସହ ନିର୍ବାଚନରେ ଶାସକ ଦଳ ଡିଏମକେଙ୍କ ମେଣ୍ଟକୁ କଡ଼ା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି।

ଏହି ସିଟ୍ ସେୟାରିଂ ଫର୍ମୂଲାରେ ବିଜେପି ଖୁସି ଥିବା ନେତା ତମିଲସାଇ ସୌନ୍ଦରରାଜନ କହିଛନ୍ତି। ସେ କହିଛନ୍ତି ଯେ, “ଆମେ ଏକ ମଜଭୁତ ମେଣ୍ଟ କରିଛୁ। ଆମର ଏହି ମେଣ୍ଟ ନିର୍ବାଚନରେ ନିଶ୍ଚିତ ବିଜୟୀ ହେବ।” ସେହିପରି ପିଏମକେ ଅଧ୍ୟକ୍ଷ ଅମ୍ବୁମଣୀ ରାମଦାସ ରାଜ୍ୟରେ ଆଇନ ଶୃଙ୍ଖଳାକୁ ସବୁଠାରୁ ବଡ଼ ସମସ୍ୟା ବୋଲି କହିଛନ୍ତି। ମହିଳାଙ୍କ ସହ ଦୁର୍ବ୍ୟବହାର ରାଜ୍ୟରେ ଏକ ନିୟମିତ ଘଟଣା ପାଲଟିଥିବା ନେଇ ଚିନ୍ତା ପ୍ରକଟ କରିବା ସହ “ଆମେ ବିଧାନସଭାର ୨୩୪ ଆସନ ମଧ୍ୟରୁ ୨୦୦ ସିଟ୍ ଜିତି ନିଶ୍ଚିତ ରାଜ୍ୟରେ ସରକାର ଗଢ଼ିବୁ” ବୋଲି ଦାବି କରିଛନ୍ତି।

ଶ୍ରୀ ରାମଦାସ ଆହୁରି କହିଛନ୍ତି ଯେ ଯଦି ଗତ ୫ ବର୍ଷରେ ଡିଏମକେ ଭଲ କାମ କରିଥାନ୍ତା, ତେବେ ନିର୍ବାଚନ ବେଳକୁ ଏତେ ଦଳଙ୍କ ସହ ମେଣ୍ଟ କାହିଁକି କରୁଛି? ଲୋକେ ଡିଏମକେଙ୍କୁ ପ୍ରଥମେ ୫ ବର୍ଷ ସୁଯୋଗ ଦେଇଥିଲେ। ଏବେ ଲୋକେ ସେମାନଙ୍କୁ ଶାସନରୁ ବେଦଖଲ କରିବାକୁ ଅପେକ୍ଷା କରିଛନ୍ତି ବୋଲି ସେ ମନ୍ତବ୍ୟ ରଖିଛନ୍ତି।