FeaturedGeneralLatest

ପଶ୍ଚିମ ଏସିଆ ସଙ୍କଟ: ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ ଟିଭି): ପଶ୍ଚିମ ଏସିଆରେ ଚାଲିଥିବା ସାମରିକ ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ନିଜର ଚିନ୍ତା ପ୍ରକଟ କରିଛନ୍ତି। ସଂସଦରେ ସମ୍ବୋଧନ ଦେଇ ମୋଦି କହିଛନ୍ତି ଯେ, ଏହି ସଂଘର୍ଷ ପ୍ରାୟ ୩ ସପ୍ତାହରୁ ଅଧିକ ସମୟ ଧରି ଚାଲିଆସୁଛି। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ଅର୍ଥନୀତି ଏବଂ ସାଧାରଣ ଲୋକଙ୍କ ଜୀବନଯାତ୍ରା ଉପରେ ପଡ଼ୁଛି। ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତିକୁ ସେ ଚିନ୍ତାଜନକ ବୋଲି ଅଭିହିତ କରିଛନ୍ତି।

ଯଥାଶୀଘ୍ର ଏହି ସଂଘର୍ଷର ଏକ ଶାନ୍ତିପୂର୍ଣ୍ଣ ସମାଧାନ ବାହାର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ବିଶ୍ୱକୁ ଅପିଲ କରିଛନ୍ତି। ଏହି ଯୁଦ୍ଧ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନଥିବା ଏବଂ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ୁଥିବା ସେ ଉଲ୍ଲେଖ କରିଛନ୍ତି। ଯୁଦ୍ଧରେ ସାମିଲ ଥିବା ଦେଶଗୁଡ଼ିକ ସହ ଭାରତର ବହୁ ପୁରୁଣା ଓ ବଡ଼ ବ୍ୟବସାୟିକ ସମ୍ପର୍କ ରହିଛି। ଭାରତର ଅଶୋଧିତ ତେଲ ଏବଂ ଗ୍ୟାସ୍ ଆବଶ୍ୟକତାର ଏକ ବଡ଼ ଭାଗ ଏହି ଅଞ୍ଚଳ ଦେଇ ଆସିଥାଏ।

ଯୁଦ୍ଧ ଯୋଗୁଁ ଏହି ସପ୍ଲାଇ ଚେନ୍ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ଗଲ୍ଫ ଦେଶଗୁଡ଼ିକରେ ପ୍ରାୟ ୧ କୋଟି ଭାରତୀୟ ରହି କାମ କରୁଛନ୍ତି। ସେମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ଭାରତ ପାଇଁ ସବୁଠୁ ବଡ଼ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାସହିତ, ସେହି ଅଞ୍ଚଳରେ ଅନେକ ବ୍ୟବସାୟିକ ଜାହାଜ ଚଳାଚଳ କରେ ଏବଂ ସେଥିରେ ଭାରତୀୟ କ୍ରୁମାନଙ୍କ ସଂଖ୍ୟା ବହୁତ ଅଧିକ।

ଏହି ସଙ୍କଟ ସମୟରେ ଭାରତୀୟ ସଂସଦରୁ ସମଗ୍ର ବିଶ୍ୱକୁ ଏକ ସମ୍ମିଳିତ ଓ ଶକ୍ତିଶାଳୀ ବାର୍ତ୍ତା ଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି ମତ ରଖିଛନ୍ତି।