CrimeLatestNews

ଅଡିଟରଙ୍କ ଘରେ ଭିଜିଲାନ୍ସ ଚଢାଉ, ଘରୁ ବାହାରିଲା ନଗଦ ୨୮ ଲକ୍ଷ ଟଙ୍କା

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଜଣେ ଏସଡିଓଙ୍କ ବିରୋଧରେ ଚଢ଼ାଉ କରାଯାଇଛି। ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରାଙ୍କ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ। ତାଙ୍କ ସମେତ ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

ଏହି ଚଢ଼ାଉରେ ଭିଜିଲାନ୍ସର ୩ ଜଣ ଡିଏସପି, ୭ ଜଣ ଇନିସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଏହି ଚଢ଼ାଉ କରାଯାଉଛି। ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ବସନ୍ତବିହାରସ୍ଥିତ ତିନି ମହଲା ଆବାସିକ ଘର, ଭଞ୍ଜନଗର ସରକାରୀ କ୍ୱାଟର, ଅଫିସ୍, ପୋଲସରାରେ ଥିବା ପୈତୃକ ଘର ଏବଂ ବ୍ରହ୍ମପୁର ଭୀମନଗରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଟିମ୍ ତଦନ୍ତ ଚଳାଇଛି।

ସେହିପରି, ଗତକାଲି ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଶିକ୍ଷା ବିଭାଗର ଜଣେ ଅଡିଟର। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଅଡିଟରଜଣଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଥିଲା। ଜଣେ କର୍ମଚାରୀଙ୍କ MACP ସ୍କିମ୍ ଅଧୀନରେ ବର୍ଦ୍ଧିତ ଦରମା ପାଇବା ପାଇଁ ଆବଶ୍ୟକ ‘ସର୍ଭିସ୍ ଭେରିଫିକେସନ୍’ କରିଦେବାକୁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।

ଗିରଫ ପରେ ଅଡିଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ୨୮.୭୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଠାବ କରିଛି। ଏହି ଟଙ୍କାକୁ ଭିଜିଲାନ୍ସ ଜବତ କରିବା ସହ ଅଡିଟରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।