FeaturedLatestNews

ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ୩-ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର (ସଂକେତ ଟିଭି): ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ତାଙ୍କର ୩ ଦିନିଆ ଓଡ଼ିଶା ଗସ୍ତ କ୍ରମେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମାର୍ଚ୍ଚ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ। ଏହି ଗସ୍ତ ଅବସରରେ ଭୁବନେଶ୍ୱର, ପୁରୀ ଓ ଗୋପାଳପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଜ୍ୟ ଅତିଥି ମର୍ଯ୍ୟାଦା ମିଳିବ।

ଆଜି ଅପରାହ୍ନରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ। କଡ଼ା ସୁରକ୍ଷା ଭିତରେ ତାଙ୍କୁ ୧୨୦ ଇନ୍ଫାଣ୍ଟ୍ରି ବଟାଲିଅନକୁ ନିଆଯାଇଥିଲା। ପ୍ରୋଟୋକଲ୍ ଅନୁଯାୟୀ ଦ୍ବିବେଦୀଙ୍କୁ ପାଇଲଟ ସହ ସୁରକ୍ଷା ଯୋଗାଇଦେବାକୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଗସ୍ତବେଳେ ଜେନେରାଲ ଦ୍ବିବେଦୀଙ୍କ ସହ ତାଙ୍କ ପତ୍ନୀ ଓ ଅନ୍ୟ ଅଫିସରମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଅବସରରେ ପୁରୀ, ଗଞ୍ଜାମ ଓ ଭୁବନେଶ୍ୱର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଜେନେରାଲ ଦ୍ବିବେଦୀ ଆଜି ଭୁବନେଶ୍ୱରସ୍ଥିତ ୧୨୦ ଇନ୍ଫାଣ୍ଟ୍ରି ବଟାଲିଅନରେ ରାତ୍ରିଯାପନ କରିବେ। ଶନିବାର ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ତାଳବାଣିଆ ହେଲିପ୍ୟାଡ଼ ଯାଇ ସେଠାରୁ ହେଲିକପ୍ଟର ଯୋଗେ ଗୋପାଳପୁର ମିଲିଟାରୀ ଷ୍ଟେସନରେ ପହଞ୍ଚିବେ।

ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜର ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜେନେରାଲ ଦ୍ବିବେଦୀ ଯୋଗଦେବେ। ସେଠାରେ ସେ ଅଫିସର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅଫିସରମାନଙ୍କୁ ସମ୍ବୋଧନ କରିବା ସହ ଏୟାର ଡିଫେନ୍ସ ଫାୟାରିଂ ଓ ଉପକରଣ ପ୍ରଦର୍ଶନ ମଧ୍ୟ ଦେଖିବେ। ସେହିଦିନ ସନ୍ଧ୍ୟାରେ ସେ ଅଫିସର ଓ ତାଙ୍କ ପରିବାର ସହିତ ମଧ୍ୟ ଆଲୋଚନା କରିବେ।

ରବିବାର (ମାର୍ଚ୍ଚ ୨୯) ସେ ଗୋପାଳପୁରରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରି ନୂଆଦିଲ୍ଲୀକୁ ପ୍ରସ୍ଥାନ କରିବେ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।