ଏପ୍ରିଲ୍ ୨ରୁ ଯୁକ୍ତ-୨ ଖାତା ଦେଖା, ମେ’ରେ ଫଳାଫଳ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ ସମ୍ପୂର୍ଣ୍ଣ ରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବ। ପରୀକ୍ଷା ସରିବା ମାତ୍ରେ ଖାତା ଦେଖା ଆରମ୍ଭ ହେବ ଏବଂ ତାହା ସହିତ ୬୦ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଖାତା ମୂଲ୍ୟାୟନ ପାଇଁ ୧୫୧ଟି ମୂଲ୍ୟାୟନ କେନ୍ଦ୍ରରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହୋଇଛନ୍ତି। ମୋଟ୍ ଆକାରରେ ଚଳିତ ବର୍ଷ ଯୁକ୍ତ ଦୁଇରେ ୨୫ ଲକ୍ଷ ଖାତା ମୂଲ୍ୟାୟନ କରାଯିବ।
ଏନେଇ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି ଯେ, ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ। ବିଶେଷ କରି ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ। ଏପ୍ରିଲ୍ ମାସ ଶେଷ ସୁଦ୍ଧା ଖାତା ଦେଖା ଶେଷ ହେବା ସହିତ ମେ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଲକ୍ଷ୍ୟ ରଖାଯାଇଛି।
ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ହେବା ସହିତ ଦ୍ବିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ଖାତା ଦେଖା ହେବ। ତେବେ ଏନେଇ ମୋଟ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ରହିଥିବା ବେଳେ ପାଖାପାଖି ପ୍ରତ୍ୟେକ ପର୍ଯ୍ୟାୟରେ ୮ ହଜାର ଅଧ୍ୟାପକ ଅର୍ଥାତ୍ ଦୁଇଟି ପର୍ଯ୍ୟାୟରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ବୋଲି କୁହାଯାଇଛି।
ଶ୍ରୀଯୁକ୍ତ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ଯେ, “ଯୁକ୍ତ ଦୁଇ ଖାତା ଉଭୟ ଅଫଲାଇନ ଓ ଅନ୍ଲାଇନ୍ରେ ଦେଖା ହେବ। ତେବେ ମୋଟ ୨୫ ଲକ୍ଷ ଖାତା ମୂଲ୍ୟାୟନ କରାଯିବ। ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଧ୍ୟାପକଙ୍କ ପାଇଁ ପାନୀୟ ଜଳଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା କରାଯିବ।” ସେପଟେ ମେ ମାସରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ସିଏଚ୍ଏସ୍ଇ।
ଚଳିତ ବର୍ଷର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ କରି ଇମ୍ପ୍ରୁଭମେଣ୍ଟ ପରୀକ୍ଷା (Improvement Exam) ସୁବିଧା ମିଳିବ। ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଯେକୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଫଳାଫଳ ବାହାରିବାର ଦୁଇ ମାସ ମଧ୍ୟରେ ଏହି ପରୀକ୍ଷା ଦେଇ ପାରିବେ। ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲା ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଯଦି କୌଣସି ପିଲା ଫେଲ୍ ହୋଇଥାନ୍ତି, ତେବେ ସେମାନେ ଇମ୍ପ୍ରୁଭମେଣ୍ଟ ନୁହେଁ, ଇନଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ। ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେବାର ୬୦ ଦିନ ଭିତରେ ଫଳାଫଳ ପ୍ରକାଶ ପାଇବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି।
