FeaturedLatestNewsPolitics

ବିଜୁ ବାବୁଙ୍କୁ ଆମେରିକାର ଏଜେଣ୍ଟ କହିଲେ ନିଶିକାନ୍ତ ଦୁବେ, ବିଜେଡିର ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ତେଜି ଉଠିଛି। ଏହି ମନ୍ତବ୍ୟକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ବିଜୁଙ୍କ ସାନ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି ବିଜେପି ସାଂସଦଙ୍କ ମନ୍ତବ୍ୟରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଏବଂ ନିଶିକାନ୍ତ ଦୁବେଙ୍କୁ ମାନସିକ ଚିକିତ୍ସକଙ୍କୁ ଦେଖାଇବାକୁ କହିଛନ୍ତି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, “ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ଶୁଣି ମୁଁ ଆଶ୍ଚର୍ଯ୍ୟ। ନିଶିକାନ୍ତ ବିଜୁ ବାବୁଙ୍କୁ ନେଇ ଗତକାଲି ଯାହା କହିଛନ୍ତି, ସେଥିରୁ ମୁଁ ଭାବୁଛି ନିଶିକାନ୍ତ ଜାଣି ନାହାନ୍ତି ଯେ ଜବାହାର ଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ନିଜ କାର୍ଯ୍ୟାଳୟକୁ ବିଜୁ ବାବୁଙ୍କୁ ଡକାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ବିଜୁ ବାବୁଙ୍କ ଅଫିସ ପ୍ରତିଷ୍ଠା ହୋଇଥିଲା। ବିଜୁ ବାବୁ ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଚାଇନା ସହ ଲଢେଇ କରିବାକୁ ବିଜୁ ବାବୁଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ରଣନୀତି ପ୍ରସ୍ତୁତ କରିଥିଲେ।”

ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, “ସେତେବେଳେ ମୁଁ ବହୁତ ଛୋଟ ଥିଲି। ପ୍ରାୟ ୧୩ ବର୍ଷ ହୋଇଥିଲି। କିନ୍ତୁ ମୋର ସ୍ପଷ୍ଟ ମନେ ଅଛି ଯେ, ଚାଇନା ସେନା ଉପରେ ବିଜୁ ବାବୁ କିଭଳି ଭାରି ପଡ଼ିଥିଲେ। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ମାନସିକ ଚିକିତ୍ସା ଆବଶ୍ୟକ। ଦୁବେଙ୍କୁ ମାନସିକ ଚିକିତ୍ସକଙ୍କୁ ଦେଖାଇବା କଥା।”

ବିଜୁ ଜନତା ଦଳର ଉପ ସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, “ବିଜେପି ସାଂସଦ ନିଶିକାନ୍ତ ଦୁବେ ଓଡ଼ିଶା ରାଜନୀତିର ମହାନାୟକ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଯେଉଁ ଅପମାନଜନକ ଓ ଅସତ୍ୟ ମନ୍ତବ୍ୟ ଦେଇଛନ୍ତି, ତାହା କେବଳ ଓଡ଼ିଶାବାସୀଙ୍କ ହୃଦୟକୁ ଆଘାତ ଦେଇ ନାହିଁ ବରଂ ଭାରତୀୟ ରାଜନୀତିର ଇତିହାସ ଓ ଗୌରବକୁ ମଧ୍ୟ କଳଙ୍କିତ କରିଛି।” ଦୁବେ ୧୯୬୨ ଚୀନ ଯୁଦ୍ଧ ସମୟରେ ବିଜୁ ବାବୁ ନେହେରୁଙ୍କ ସହିତ ସିଆଇଏ ମଧ୍ୟରେ ‘ଲିଙ୍କ’ ଥିଲେ ବୋଲି ମନ୍ତବ୍ୟ ଦେଇଥିଲେ। ଏହାକୁ ଐତିହାସିକ ତଥ୍ୟର ବିକୃତି ବୋଲି କହି ସଞ୍ଜୟ ଦାସବର୍ମା ଏହାକୁ ଓଡ଼ିଶାର ଭୂମିପୁତ୍ର ଓ ଜାତୀୟ ନେତାଙ୍କ ପ୍ରତି ନିର୍ଲଜ ଆଘାତ ବୋଲି ଅଭିହିତ କରିଛନ୍ତି।

ସଞ୍ଜୟ କୁମାର ଦାସବର୍ମା ବିଜୁ ବାବୁଙ୍କ ଜୀବନୀ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି। ସେ କହିଛନ୍ତି, ବିଜୟାନନ୍ଦ ପଟ୍ଟନାୟକ ୧୯୧୬ ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ ଖାଲି ରାଜନେତା ନ ଥିଲେ, ଥିଲେ ଜଣେ ସାହସୀ ସ୍ୱାଧୀନତା ସଂଗ୍ରାମୀ, ଦକ୍ଷ ପାଇଲଟ ଏବଂ ପ୍ରତିଷ୍ଠିତ ଶିଳ୍ପପତି। ଭାରତ ଛାଡ଼ ଆନ୍ଦୋଳନ ସମୟରେ ସେ ବିମାନରୁ ଲିଫଲେଟ ବାଣ୍ଟିଥିଲେ ଏବଂ ସ୍ୱାଧୀନତା ଯୋଦ୍ଧାମାନଙ୍କୁ ଗୋପନୀୟ ଭାବେ ସ୍ଥାନାନ୍ତରିତ କରୁଥିଲେ। ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ହେଉଛି ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ସାହାଯ୍ୟ। ୧୯୪୭ ମସିହାରେ ନେହେରୁଙ୍କ ନିର୍ଦ୍ଦେଶରେ ସେ ଇଣ୍ଡୋନେସିଆର ନେତାମାନଙ୍କୁ ଡଚ୍ ଉପନିବେଶବାଦୀଙ୍କ କବଳରୁ ଉଦ୍ଧାର କରିଥିଲେ, ଯେଉଁଥିପାଇଁ ଇଣ୍ଡୋନେସିଆ ତାଙ୍କୁ ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରିଛି।

ବିଜେଡି ଉପସଭାପତି ଆହୁରି କହିଛନ୍ତି ଯେ ଆଧୁନିକ ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅବଦାନ ଅପରିସୀମ। ୧୯୬୧ରୁ ୧୯୬୩ ଓ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ ସେ ଓଡ଼ିଶାକୁ ଆଧୁନିକ ଓ ଶିଳ୍ପପ୍ରଧାନ ରାଜ୍ୟ କରିଥିଲେ। ଚୌଦ୍ବାର ଓ ବଡବିଲ ଶିଳ୍ପ ବେଲ୍ଟ, କଟକ-ଜଗତପୁର ମହାନଦୀ ହାଇୱେ ବ୍ରିଜ, କଳିଙ୍ଗ ଏୟାରଲାଇନ୍ସ ପ୍ରତିଷ୍ଠା ତାଙ୍କ ଦୂରଦୃଷ୍ଟିର ଫଳ। ବିଜୁ ବାବୁଙ୍କୁ ‘ସିଆଇଏ ଏଜେଣ୍ଟ’ ବା ‘ଲିଙ୍କ’ କହି ଅପମାନ କରିବା ରାଜନୈତିକ କୌଶଳର ନିମ୍ନସ୍ତରୀୟ ଉଦାହରଣ ବୋଲି ସେ କଠୋର ସମାଲୋଚନା କରିଛନ୍ତି।

ଏହି ବିବାଦକୁ ନେଇ ବିଜେପି ବିଧାୟକ ବାବୁଲ ସିଂହ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ୍ସରେ ପୋଷ୍ଟ କରି ସେ ବିଜୁ ବାବୁଙ୍କ ବିଷୟରେ କୌଣସି ବିବାଦୀୟ ମନ୍ତବ୍ୟ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି। ସେ ଲେଖିଛନ୍ତି, “ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ନେଇ ଗତକାଲି ଠାରୁ ଯେଉଁ ଧରଣର ଚର୍ଚ୍ଚା ଓ ମନ୍ତବ୍ୟ ପ୍ରକାଶ ପାଉଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜୁ ବାବୁ କେବଳ ଜଣେ ଜନନେତା ନଥିଲେ, ସେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଆ ଜାତିର ସେବା ପାଇଁ ଚେଷ୍ଟିତ ଥିଲେ। ଯେଉଁମାନେ ତାଙ୍କ ବିରୋଧରେ କଥାକୁ କଦର୍ଥ କରି କହୁଛନ୍ତି, ସେମାନେ ଏଭଳି ଅପଚେଷ୍ଟାରୁ ଦୂରେଇ ରୁହନ୍ତୁ ଏବଂ ନିଜର ଭୁଲ୍ ପାଇଁ ସାର୍ବଜନୀନ ଭାବେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ।”

ଗତକାଲି ନିଶିକାନ୍ତଙ୍କ ମନ୍ତବ୍ୟ ସାର୍ବଜନୀନ ହେବା ପରେ ରାଜ୍ୟସଭା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଡ. ସସ୍ମିତ ପାତ୍ର ଯୋଗାଯୋଗ ଏବଂ ଆଇଟି କମିଟିରୁ ଇସ୍ତଫା ଦେଇଛନ୍ତି। ଏହି ବିବାଦୀୟ ମନ୍ତବ୍ୟ ଯୋଗୁଁ ସେ ନିଜ ଇସ୍ତଫା ପତ୍ରରେ ଏହା ଉଲ୍ଲେଖ କରିଛନ୍ତି। ଏହାସହ ଆଜି ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ବିଜୁ ଯୁବ ଓ ଛାତ୍ର ଜନତା ଦଳ ବିଜୁ ପଟ୍ଟନାୟକଙ୍କ ପ୍ରତି ଏହି ମିଥ୍ୟା ଓ ଅପମାନଜନକ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହ ବିଜେପି ସାଂସଦ ନିଶିକାନ୍ତ ଦୁବେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛି। ସେମାନେ କହିଛନ୍ତି, ବିଜୁ ବାବୁ କେବଳ ଜଣେ ନେତା ନୁହଁନ୍ତି, ସେ ପ୍ରତିଟି ଓଡ଼ିଆଙ୍କ ଆବେଗ। ତାଙ୍କ ପ୍ରତି କରାଯାଇଥିବା ଏଭଳି ଦାୟିତ୍ୱହୀନ ଟିପ୍ପଣୀକୁ କୌଣସି ବି ଓଡ଼ିଆ ବରଦାସ୍ତ କରିବେ ନାହିଁ।