CrimeFeaturedLatestNews

୩ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ସବ୍-ଟ୍ରେଜେରୀ କର୍ମଚାରୀ

ନୟାଗଡ଼ (ସଂକେତ ଟିଭି): ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ସବ୍-ଟ୍ରେଜେରୀରେ କାର୍ଯ୍ୟରତ କର୍ମଚାରୀ ସରୋଜ ସାହୁ ଲାଞ୍ଚ ନେଇ ଧରା ପଡ଼ିଛନ୍ତି। ଭିଜିଲାନ୍ସ ଟିମ୍ ତାଙ୍କୁ ୩,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା। ଜଣେ ପେନସନଭୋଗୀଙ୍କ ଠାରୁ ଏହି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପେନସନଭୋଗୀଜଣକଙ୍କର ବିଲ୍ ପାସ୍ କରାଇଦେବା ବଦଳରେ ସରୋଜ ସାହୁ ଲାଞ୍ଚ ଦାବି କରୁଥିଲେ। ଏହାପୂର୍ବରୁ ସେ ଉକ୍ତ ପେନସନଭୋଗୀଙ୍କଠାରୁ ୪,୦୦୦ ଟଙ୍କା ନେଇଥିବା ବେଳେ ଆଜି ଅତିରିକ୍ତ ୩,୦୦୦ ଟଙ୍କା ନେଉଥିଲେ। ଭିଜିଲାନ୍ସ ଟିମ୍ ଏହି ଟଙ୍କା ନେବା ବେଳେ ତାଙ୍କୁ ଧରିବାରେ ସଫଳ ହୋଇଥିଲା।

ଟ୍ରାପ୍ ପରେ ଭିଜିଲାନ୍ସ ପକ୍ଷରୁ ସରୋଜ ସାହୁଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ ଆରମ୍ଭ କରାଯାଇଛି। ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଖଣ୍ଡପଡ଼ା ସବ୍-ଟ୍ରେଜେରୀର ସିନିଅର ଆସିଷ୍ଟାଣ୍ଟ ସରୋଜ କୁମାର ସାହୁଙ୍କ ବାସଭବନରେ ଭିଜିଲାନ୍ସର ୫ ଜଣିଆ ଟିମ୍ ଖାନତଲାସି କରୁଛି। ଏହି ଘଟଣାରେ ଆଗାମୀ ତଦନ୍ତ ଜାରି ରହିଛି।