ବିଜେପିରେ ସାମିଲ ହେଲେ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତର ପୂର୍ବତନ ଟେନିସ୍ ତାରକା ତଥା ମହାନ ଖେଳାଳି ଲିଆଣ୍ଡର ପେସ୍ ମଙ୍ଗଳବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ଏବଂ ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦଳବଦଳ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଯେ, ଲିଆଣ୍ଡର ପେସଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ। ତାଙ୍କ ବିଜେପିରେ ଯୋଗଦାନ ଏକ ଉତ୍ସବ ପାଳନ କରିବାର ମୁହୂର୍ତ୍ତ ବୋଲି ମତ ଦେଇ ରିଜିଜୁ ସ୍ପଷ୍ଟ ଅନୁମାନ ପ୍ରକଟ କରିଛନ୍ତି ଯେ, ଲିଆଣ୍ଡର ବିଜେପି ପ୍ଲାଟଫର୍ମରେ ଏକ ବଡ଼ ଇନିଂସ ଖେଳିବେ। ସେ ଆହୁରି କହିଛନ୍ତି ଯେ, ଲିଆଣ୍ଡରଙ୍କ ଯୋଗଦାନ ଖେଲୋ ଇଣ୍ଡିଆ ଆନ୍ଦୋଳନକୁ ଆହୁରି ଗତି ଦେବ।
ଉଲ୍ଲେଖଯୋଗ୍ୟ, ୧୯୯୬ ମସିହାରେ ଆଟଲାଣ୍ଟା ଅଲିମ୍ପିକ୍ସରେ ୪୪ ବର୍ଷ ପରେ ଭାରତ ପାଇଁ ଟେନିସ୍ରେ ପ୍ରଥମ ପଦକ ଜିତି ଲିଆଣ୍ଡର ପେସ୍ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିଲେ। ସେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିଲେ। ତେବେ ରାଜନୀତିରେ ସେ ନୂଆ ନୁହଁନ୍ତି। ୨୦୨୧ ମସିହାରେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ସେ ନିଜେ କୌଣସି ନିର୍ବାଚନ ଲଢ଼ି ନଥିଲେ।
ଗତ କିଛି ଦିନ ଧରି ଲିଆଣ୍ଡର ପଶ୍ଚିମବଙ୍ଗ ରାଜନୀତିରେ ସକ୍ରିୟ ଥିଲେ। ସେ କୋଲକାତାରେ ବିଜେପିର ଅନେକ ଟପ୍ ନେତାଙ୍କୁ ଭେଟିବା ସହ ଦଳୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ପଶ୍ଚିମବଙ୍ଗ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ବର୍ତ୍ତମାନ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଦଳୀୟ ଟିକେଟ୍ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି।
