FeaturedLatestNews

ଆରମ୍ଭ ହେଲା ଡିଜିଟାଲ ଜନଗଣନା, ସ୍ଵଗଣନାରେ ସାମିଲ ହେଲେ ରାଜ୍ୟପାଳ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଆରମ୍ଭ ହୋଇଯାଇଛି ଡିଜିଟାଲ ଜନଗଣନା ୨୦୨୭। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ନିଜେ ସ୍ଵଗଣନାରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଜନତା ଡିଜିଟାଲ ମାଧ୍ୟମରେ ନିଜେ ନିଜର ଜନଗଣନା କରିପାରିବେ। ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳ ଓ ରାଜଧାନୀର ପ୍ରଥମ ନାଗରିକ ମେୟର ପୋର୍ଟାଲରେ ନିଜର ତଥ୍ୟ ଜନଗଣନା ୱେବସାଇଟକୁ ଦେଇ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହାସହ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ନିଜର ତଥ୍ୟ ପ୍ରଦାନ କରି ଡିଜିଟାଲ ଜନଗଣନାରେ ଯୋଗ ଦେଇଛନ୍ତି।

ଏହି ଡିଜିଟାଲ ଜନଗଣନାକୁ ନେଇ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି କହିଛନ୍ତି ଯେ, ରାଜ୍ୟର ପ୍ରଥମ ନାଗରିକ ଭାବେ ରାଜ୍ୟ ପ୍ରତି ନିଜର ଦାୟିତ୍ବକୁ ଗୁରୁତ୍ବ ଦେଇ ଆଜି ସେ ପ୍ରଥମେ ଜନଗଣନା ୨୦୨୭ରେ ସାମିଲ ହୋଇଛନ୍ତି। ୨୦୨୭ ଜନଗଣନାର ଏହା ପ୍ରଥମ ପର୍ଯ୍ୟାୟ ହୋଇଥିବା ବେଳେ ରାଜ୍ୟପାଳ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କୁ ସ୍ଵଗଣନାରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ସେହିପରି ମେୟର ସୁଲୋଚନା ଦାସ ଭୁବନେଶ୍ୱରବାସୀଙ୍କୁ ସ୍ଵଗଣନାରେ ଭାଗ ନେବା ସହ ଜଣେ ସଚେତନ ନାଗରିକ ଭାବେ ନିଜର ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ https://se.census.gov.in/ ପୋର୍ଟାଲ ମାଧ୍ୟମରେ ନିଜର ତଥ୍ୟ ପ୍ରଦାନ କରିପାରିବେ। ଏହି ପ୍ରକ୍ରିୟାରେ ପ୍ରଥମେ ଜଣେ ବ୍ୟକ୍ତି ନିଜର ମୋବାଇଲ୍ ନମ୍ବର ଲଗ୍ ଇନ୍ କରି, ଭାଷା ନିର୍ଦ୍ଧାରଣ କରି ଓଟିପି ଦେବା ପରେ ନିଜର ସମସ୍ତ ତଥ୍ୟ ଜନଗଣନା ୱେବସାଇଟକୁ ଦେଇପାରିବେ। ୱେବସାଇଟରେ ଦିଆଯାଇଥିବା ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ ଏବଂ ଏହାକୁ ଆରଟିଆଇରେ ମଧ୍ୟ ପ୍ରଦାନ କରାଯିବ ନାହିଁ।

ପରବର୍ତ୍ତୀ ସମୟରେ ଅର୍ଥାତ୍ ଏପ୍ରିଲ ୧୬ ତାରିଖରୁ ଜନଗଣନା ଅଧିକାରୀମାନେ ଘରକୁ ଘର ବୁଲି ଜନଗଣନା କାର୍ଯ୍ୟ କରିବେ। ତେବେ ଡିଜିଟାଲ ଜନଗଣନା ବାଧ୍ୟତାମୂଳକ ନୁହେଁ, ଏହାକୁ ବିକଳ୍ପ ବ୍ୟବସ୍ଥା ଭାବରେ ରଖାଯାଇଛି। ଜନଗଣନା ପାଇଁ ସରକାର ୩୩ଟି ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି। ଏହି ୩୩ଟି ପ୍ରଶ୍ନର ଉତ୍ତର ଆଧାରରେ ହିଁ ତଥ୍ୟ ସଂଗ୍ରହ କରାଯିବ। ଏହି ଗଣନା ମାଧ୍ୟମରେ ଘର, ପରିବାର, ପରିବାରର ମୁଖ୍ୟ, ଯାନବାହନ, ଜମିବାଡ଼ି, ଏଲପିଜି ଆଦି ତଥ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଏହାସହ ଜାତିଗତ ତଥ୍ୟକୁ ମଧ୍ୟ ଏହି ଜନଗଣନାରେ ସାମିଲ କରାଯିବ ବୋଲି ଜନଗଣନା ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷ ଜନଗଣନା ଅଧିକାରୀ ସାମିଲ ହୋଇଛନ୍ତି।