ଭୁବନେଶ୍ୱରରେ ଖୋଲିଲା ଭିଜା ସେଣ୍ଟର୍, ୧୦ଟି ଦେଶ ପାଇଁ ମିଳିବ ଭିଜା
ଭୁବନେଶ୍ୱର (ସଂକେତ ଟିଭି): ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ରାଜଧାନୀରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭିଜା ସେଣ୍ଟର୍ VFS ଗ୍ଲୋବାଲ୍ (VFS Global) କାର୍ଯ୍ୟ ଆରମ୍ଭ କରିଛି। ଏହା ପୂର୍ବରୁ ରାଜ୍ୟବାସୀଙ୍କୁ ଭିଜା ସେବା ପାଇଁ କଲିକତା ଓ ହାଇଦ୍ରାବାଦ ଉପରେ ନିର୍ଭର କରିବାକୁ ପଡ଼ୁଥିଲା, ଯାହା ଅଧିକ ଖର୍ଚ୍ଚାନ୍ତ ଓ ସମୟ ସାପେକ୍ଷ ଥିଲା। ଏହି ଅସୁବିଧାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ବହୁ ଅଭିଯୋଗ ଆସିଥିଲା। ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିଲେ ଏବଂ ଏହାର ସଫଳ ରୂପାୟନ ସ୍ୱରୂପ ଭୁବନେଶ୍ୱରରେ ଏହି ଭିଜା ସେଣ୍ଟର୍ ଖୋଲିଛି।
ଏହି ନୂତନ VFS ଗ୍ଲୋବାଲ୍ ସେଣ୍ଟର୍ ପାଇଁ ୩,୦୦୦ ବର୍ଗଫୁଟ୍ ସ୍ଥାନ ପ୍ରଦାନ କରାଯାଇଛି। ଆବଶ୍ୟକତା ଅନୁସାରେ ଭବିଷ୍ୟତରେ ଅଧିକ ସ୍ଥାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ବର୍ତ୍ତମାନ ଏହି ସେଣ୍ଟର୍ ମାଧ୍ୟମରେ ୟୁକେ, ଆୟର୍ଲାଣ୍ଡ, ସ୍ୱିଜରଲାଣ୍ଡ, ଅଷ୍ଟ୍ରିଆ, ଜାପାନ, ମାରୋକୋ, ଇଜିପ୍ଟ, ମାଲ୍ଟା, ଇଟାଲୀ ଓ ଇଷ୍ଟୋନିଆ ଭଳି ୧୦ଟି ଦେଶ ପାଇଁ ଭିଜା ମିଳିପାରିବ। ଉଲ୍ଲେଖଯୋଗ୍ୟ ଯେ, VFS ଗ୍ଲୋବାଲ୍ ବିଶ୍ୱର ୧୬୭ଟି ଦେଶରେ ୪ ହଜାର ସେଣ୍ଟର୍ ପରିଚାଳନା କରୁଥିବା ବେଳେ ଭାରତର ୨୦ଟି ସହରରେ ୫୬୦ଟି ସେଣ୍ଟର୍ ରହିଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଏହି ଭିଜା ସେଣ୍ଟର୍ ବିଦେଶ ଯିବାକୁ ଚାହୁଁଥିବା ଓଡ଼ିଆମାନଙ୍କ ପାଇଁ ବେଶ ସହାୟକ ହେବ। ଏହା ଓଡ଼ିଶାକୁ ଉତ୍କର୍ଷତା କ୍ଷେତ୍ରରେ ଅଧିକ ସହାୟକ ହେବ ଏବଂ ଛତିଶଗଡ଼ ଓ ଅନ୍ୟ ପାର୍ଶ୍ୱବର୍ତ୍ତୀ ରାଜ୍ୟବାସୀଙ୍କ ପାଇଁ ଏକ ସହଯୋଗ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଭୁବନେଶ୍ୱର ସହରକୁ ଗ୍ରେଟର୍ ଭୁବନେଶ୍ୱର ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ରହିଛି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।
