BusinessFeaturedGeneralLatest

୪୦ଟି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଉପରୁ ସୀମା ଶୁଳ୍କ ଛାଡ଼ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ (ସଂକେତ ଟିଭି): ପେଟ୍ରୋଲିୟମ ସଂକଟ ଭିତରେ କେନ୍ଦ୍ର ସରକାର ସାର, ଫାର୍ମାସ୍ୟୁଟିକାଲ ଓ ପ୍ଲାଷ୍ଟିକ ଶିଳ୍ପକୁ ବଡ଼ ପ୍ରୋତ୍ସାହନ ଦେଇଛନ୍ତି। ୪୦ଟି ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ସାମଗ୍ରୀ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଅର୍ଥମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଶୁଳ୍କ ଛାଡ଼ କରାଯାଇଥିବା ଜଣାଯାଇଛି।

ମୋଟ ୪୦ଟି ପଦାର୍ଥ ଉପରୁ ଶୁଳ୍କ ହଟାଯାଇଛି। ଏଥିରେ ଆନହାଇଡ୍ରସ୍ ଆମୋନିଆ ରହିଛି, ଯାହା ସାର ତିଆରିରେ ବ୍ୟବହୃତ ହୁଏ। ସେହିପରି ମିଥାନୋଲ, ଟୋଲୁଇନ୍, ଷ୍ଟାଇରିନ୍ ଓ ଭିନାଇଲ୍ କ୍ଲୋରାଇଡ୍ ମନୋମର ଭଳି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଉପରୁ ମଧ୍ୟ ଶୁଳ୍କ ଛାଡ଼ କରାଯାଇଛି।

ଏହି ନିଷ୍ପତ୍ତି ଦ୍ୱାରା ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ ଶିଳ୍ପକୁ ବିଶେଷ ଫାଇଦା ମିଳିବ। ଶିଳ୍ପଗୁଡ଼ିକ ଶସ୍ତା ମୂଲ୍ୟରେ କଞ୍ଚାମାଲ ପାଇପାରିବେ। ଟେକ୍ସଟାଇଲ୍ ଶିଳ୍ପରେ ସିନ୍ଥେଟିକ୍ ଫାଇବର ତିଆରି ଖର୍ଚ୍ଚ କମିବ। ଔଷଧ ନିର୍ମାଣରେ ବ୍ୟବହୃତ ରାସାୟନିକ ପଦାର୍ଥ ସହଜରେ ଉପଲବ୍ଧ ହେବ। ଗାଡ଼ିର ବିଭିନ୍ନ ପାର୍ଟସ୍ ଓ ଟାୟାର ନିର୍ମାଣ ମଧ୍ୟ ସହଜ ହେବ।

ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ବିଶ୍ୱବ୍ୟାପୀ ସପ୍ଲାଇ ଚେନ୍ ବ୍ୟାହତ ହୋଇଥିବା ବେଳେ ଭାରତର ପେଟ୍ରୋକେମିକାଲ୍ କଞ୍ଚାମାଲ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ବର୍ତ୍ତମାନ ଏହି ନିଷ୍ପତ୍ତି ପରେ ଘରୋଇ ଶିଳ୍ପକୁ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ସହଜରେ ମିଳିପାରିବ। ଡାଉନ୍ ଷ୍ଟ୍ରିମ୍ ଶିଳ୍ପରେ ଉତ୍ପାଦନ ଖର୍ଚ୍ଚ କମିବ ଏବଂ ଦେଶର ଯୋଗାଣ ଶୃଙ୍ଖଳରେ ସ୍ଥିରତା ଆସିବ।