LatestNews

ରିଲ୍ସ ସୁଟିଂ ବେଳେ ସାଳନ୍ଦୀ ନଦୀ ବୁଡି ଯୁବକଙ୍କ ମୃତ୍ୟୁ

ଭଦ୍ରକ(ସଂକେତ ଟିଭି): ସୋସିଆଲ ମିଡିଆ ରିଲ୍ସ ବନାଉଥିବା ବେଳେ ଭଦ୍ରକ ଜିଲ୍ଲାର ସାଳନ୍ଦୀ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ କେନ୍ଦୁଝର ଜିଲ୍ଲାର ମିଥୁନ ନାୟକ ବୋଲି ଚିହ୍ନଟ ହୋଇଛି।

ଘଟଣାଟି ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ। ମିଥୁନଙ୍କ ସହ ତାଙ୍କର ଦୁଇ ବନ୍ଧୁ ହିମାଂଶୁ ସେଖର ନାୟକ ଓ ଅନ୍ୟ ଜଣେ ଯୁବକ ମିଶି ରିଲ୍ସ ତିଆରି ପାଇଁ ବ୍ରିଜ ଉପରୁ ନଦୀକୁ ଡେଇଁବାକୁ ଚେଷ୍ଟା କରୁଥିଲେ।

ସୂଚନା ଅନୁଯାୟୀ, କେନ୍ଦୁଝରରୁ ଭଦ୍ରକରେ ରହି ଶ୍ରମିକ କାମ କରୁଥିବା ଏହି ତିନି ସାଙ୍ଗ ରିଲ୍ସ ତିଆରି ପାଇଁ ସନ୍ତିଆ ବ୍ରିଜକୁ ଆସିଥିଲେ। ପ୍ରଥମେ ହିମାଂଶୁ ଡେଇଁଥିଲେ, ତା’ପରେ ମିଥୁନ ଡେଇଁଥିଲେ। ତୃତୀୟ ସାଙ୍ଗ ବ୍ରିଜ ଉପରେ ରହି ଭିଡିଓ ରେକର୍ଡ କରୁଥିଲେ। ହିମାଂଶୁ ପହଁରି କୂଳକୁ ଆସି ବର୍ତ୍ତି ଯାଇଥିବା ବେଳେ ତୀବ୍ର ସ୍ରୋତରେ ମିଥୁନ ଭାସିଯାଇଥିଲେ। ମିଥୁନ ପାଣି ଭିତରୁ ଉପରକୁ ନ ଉଠିବାରୁ ତାଙ୍କ ବନ୍ଧୁମାନେ ଚିତ୍କାର କରି ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଓ ଓଡ଼ିଶା ଡିଜାଷ୍ଟର ରାପିଡ ଆକ୍ସନ ଫୋର୍ସ (ଓଡ୍ରାଫ୍) ୨ ଘଣ୍ଟା ୩୦ ମିନିଟରୁ ଅଧିକ ସମୟ ଧରି ଖୋଜାଖୋଜି ଚଳାଇଥିଲା। ପରେ ଅଗ୍ନିଶମ କର୍ମଚାରୀ ମିଥୁନଙ୍କ ଶବ ନଦୀରୁ ଉଦ୍ଧାର କରିଥିଲେ।

ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ଘଟଣାରେ ଏକ ଅପମୃତ୍ୟୁ ମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।