ଖରାଦିନେ ଟ୍ବିନ ସିଟିରେ ହେବ ନାହିଁ ପାଓ୍ବାର କଟ୍ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଆଜି ଭୁବନେଶ୍ଵର ନିକଟସ୍ଥ ବାଲିଅନ୍ତାରେ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ଐତିହାସିକ ମାଇଲଷ୍ଟୋନ୍ ସୃଷ୍ଟି ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ବାଲିଅନ୍ତା, ସତ୍ୟନଗର ଏବଂ ଏସ୍ସିବି ମେଡ଼ିକାଲରେ ସ୍ଥାପିତ ଅତ୍ୟାଧୁନିକ ଜିଆଇଏସ୍ (Gas Insulated Substation) ଗ୍ରୀଡ୍ ସବଷ୍ଟେସନ୍ ଗୁଡ଼ିକର ଉଦଘାଟନ୍ କରାଯାଇଛି।
ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ନବ କିଶୋର ମଲ୍ଲିକ ଏବଂ ଓପିଟିସିଏଲର ଅଧକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ଭାସ୍କର ଶର୍ମା ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜଧାନୀ ଭୁବନେଶ୍ବରର ଭବିଷ୍ୟତ ବିକାଶକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ ଏବଂ ଆଧୁନିକ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଏହି ନୂତନ ଜିଆଇଏସ୍ ଗ୍ରୀଡ୍ ସବଷ୍ଟେସନ୍ ଓ ସଂଲଗ୍ନ ଟ୍ରାନ୍ସମିସନ୍ ଲାଇନ୍ ଗୁଡ଼ିକ ରାଜଧାନୀରେ ନିରବଚ୍ଛିନ୍ନ, ଉଚ୍ଚ ଗୁଣସ୍ତରୀୟ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ। ଏହା ଫଳରେ ଶିଳ୍ପ, ବ୍ୟବସାୟ ଓ ଆଇଟି ବିକାଶ ତ୍ବରାନ୍ବିତ ହେବ।
ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ବାଲିଅନ୍ତା, ସତ୍ୟନଗର, ନୟାପଲ୍ଲୀ ଏବଂ ଏସସିବି ମେଡିକାଲରେ ନିର୍ମିତ ଏହି ଗୁରୁତ୍ଵପୂର୍ଣ୍ଣ ଗ୍ରୀଡ୍ ସବଷ୍ଟେସନ୍ ଗୁଡ଼ିକ ସ୍ଥାପିତ ହୋଇଛି। ଯାହା ଭୁବନେଶ୍ବର ସହରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହା ଫଳରେ ରାଜଧାନୀ ଓ ପାଶ୍ଵବର୍ତ୍ତୀ ଅଞ୍ଚଳର ପ୍ରାୟ ୨୨ ଲକ୍ଷ ଉପଭୋକ୍ତା ନିରବଚ୍ଛିନ୍ନ ଓ ଗୁଣସ୍ତରୀୟ ବିଦ୍ୟୁତ୍ ସେବାରୁ ଲାଭାନ୍ବିତ ହେବେ।
ଉପମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହା କେବଳ ବିଦ୍ୟୁତ୍ ବ୍ୟବସ୍ଥାକୁ ସୁଦୃଢ଼ କରିବ ତାହା ନୁହେଁ, ବରଂ ଶିଳ୍ପ ବିକାଶ, ପୁଞ୍ଜି ନିବେଶ ଏବଂ ନୂତନ ରୋଜଗାର ସୃଷ୍ଟିରେ ମଧ୍ୟ ମାର୍ଗ ପ୍ରଶସ୍ତ କରିବ। ଓଡ଼ିଶାର ବିଦ୍ୟୁତ୍ ପରିଚାଳନା ବ୍ୟବସ୍ଥାରେ ଡିଜିଟାଲ ପରିବର୍ତ୍ତନର ଗୁରୁତ୍ୱକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ।
STAMS ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୭୦ଟି ଗ୍ରୀଡ୍ ସବଷ୍ଟେସନ୍ ରିମୋଟ୍ ଭାବେ ପରିଚାଳିତ ହେଉଛି। ମଞ୍ଚେଶ୍ବରରେ ନିର୍ମିତ ନୂତନ SLDC ଭବନ ରାଜ୍ୟର ବିଦ୍ୟୁତ୍ ପରିଚାଳନାକୁ ଆହୁରି ସୁଦୃଢ଼ କରିବ।
