ପ୍ରାଚୀ, ଧନୁଆ, ଦୟା ନଦୀର ହେବ ପୁନରୁଦ୍ଧାର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ବର ଆଖପାଖରେ ଥିବା କେନାଲ ଗୁଡ଼ିକର ଆରଆଇଡିଏଫ୍ ସ୍କିମ୍ ମାଧ୍ୟମରେ କିଭଳି ମରାମତି ହୋଇପାରିବ, ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରାଚୀ, ଧନୁଆ ଓ ଦୟା ନଦୀର ପୁନରୁଦ୍ଧାର ପାଇଁ ସରକାର ବଜେଟ୍ରେ ଅର୍ଥ ବ୍ୟବସ୍ଥା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ବଜେଟ୍ରେ ‘ସଞ୍ଜିବନୀ’ ନାମକ ଏକ ଯୋଜନା କରାଯାଇଛି। ଏହା ଅଧୀନରେ ଯେଉଁ ନଦୀଗୁଡ଼ିକର ଜଳସ୍ରୋତ ପ୍ରାୟ ବନ୍ଦ ହୋଇଯାଇଛି, ସେଗୁଡ଼ିକର ପୁନରୁଦ୍ଧାର କରାଯିବ। ପ୍ରାଚୀ ନଦୀ ପାଇଁ ୩୦୦ କୋଟି, ଧନୁଆ ନଦୀ ପାଇଁ ୭୫ କୋଟି ଓ ଦୟା ନଦୀ ପାଇଁ ୧୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ସେହିପରି କେନାଲ ଗୁଡ଼ିକର ମରାମତି ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଭୁବନେଶ୍ବର ଉପକଣ୍ଠ ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ମୋଟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଦ୍ୱାରା ନଦୀଗୁଡ଼ିକରେ ପୁନର୍ବାର ଜଳସ୍ରୋତ ପ୍ରବାହ ଠିକ୍ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
