FeaturedLatestNews

ଆସନ୍ତା ବର୍ଷ ଏପ୍ରିଲରେ ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର (ସଂକେତ ଟିଭି): ୧୦ ଏପ୍ରିଲ ୨୦୨୭ରେ ପଞ୍ଚାୟତ ନିର୍ବାଚନ ହେବ। ଏହି ନିର୍ବାଚନରେ ଆସନ ସଂରକ୍ଷଣ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ପଠାଯାଇଛି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି।

ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟରେ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ ତାରିଖ ଭିତରେ ଅଭିଯୋଗ ଆବେଦନ କରାଯାଇପାରିବ। ୨୪ ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରି ୨୯ ତାରିଖ ସୁଦ୍ଧା ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ କମିଶନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଛି।

ସେହିପରି ଜିଲ୍ଲା ପରିଷଦ ସଦସ୍ୟରେ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ ତାରିଖ ଭିତରେ ଅଭିଯୋଗ ଆବେଦନ ଏବଂ ୨୭ ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରାଯିବ। ୨୯ ତାରିଖ ସୁଦ୍ଧା ସରକାରଙ୍କ ଅନୁମୋଦନ କ୍ରମେ ୩୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ କମିଶନଙ୍କୁ ଜଣାଇବେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ୧୩ ତାରିଖରେ ଚିଠା ବିଜ୍ଞପ୍ତି ଏବଂ ୨୯ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ନିର୍ବାଚନ ସଂରକ୍ଷଣ ନୀତି ଅନୁସାରେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଯାଏଁ ସଂରକ୍ଷଣ ରହିବ। ମହିଳାଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ।