Latest

୯ ମାସ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ’ (MWDT) ର କାର୍ଯ୍ୟକାଳକୁ କେନ୍ଦ୍ର ସରକାର ୨୦୨୭ ମସିହା ଜାନୁଆରୀ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହାର କାର୍ଯ୍ୟକାଳ ଆସନ୍ତା ୧୩ ତାରିଖରେ ଶେଷ ହେବାର ଥିଲା। ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମିଳିତ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏହାକୁ ଆଉ ୯ ମାସ ବଢ଼ାଇ ଦେଇଛନ୍ତି।

ଦୀର୍ଘ ଦିନରୁ ଲାଗି ରହିଥିବା ଏହି ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲଙ୍କୁ ଏହି ଅତିରିକ୍ତ ସମୟ ଦିଆଯାଇଛି। ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ଓଡ଼ିଶା ପାଇଁ ବଡ଼ ଆଶ୍ୱସ୍ତି ଭାବେ ଦେଖାଯାଉଛି। କାର୍ଯ୍ୟକାଳ ବଢ଼ିବା ଫଳରେ ଏବେ ଶୁଣାଣି ଜାରି ରହିପାରିବ ଏବଂ ବିନା କୌଣସି ନିଷ୍ପତ୍ତିରେ ମାମଲାଟି ବନ୍ଦ ହେବାର ଭୟ ରହିବ ନାହିଁ।

୨୦୧୮ ମସିହାରେ ମହାନଦୀ ଟ୍ରିବ୍ୟୁନାଲ୍ ଗଠନ କରାଯାଇଥିଲା। ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ଅନେକ ବ୍ୟାରେଜ୍ ଓ ପ୍ରକଳ୍ପ ନିର୍ମାଣ କରିଥିବାରୁ ଓଡ଼ିଶାକୁ ଜଳ ପ୍ରବାହ କମୁଥିବା ନେଇ ରାଜ୍ୟ ସରକାର ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ପୂର୍ବରୁ ଅଧ୍ୟକ୍ଷ ପଦ ପ୍ରାୟ ୯ ମାସ ଖାଲି ପଡ଼ିଥିବାରୁ ଶୁଣାଣି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା। ଏହି କାରଣରୁ ଉଭୟ ରାଜ୍ୟ ଉପଯୁକ୍ତ ବିଚାର ପାଇଁ ଅଧିକ ସମୟ ମାଗିଥିଲେ।

ନିକଟରେ ଟ୍ରିବ୍ୟୁନାଲର ପ୍ରତିନିଧି ଦଳ ଉଭୟ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ସ୍ଥାନ ଗସ୍ତ କରି ସ୍ଥିତି ପରଖିଛନ୍ତି। ଏବେ କାର୍ଯ୍ୟକାଳ ବଢ଼ିବା ପରେ ଟ୍ରିବ୍ୟୁନାଲଙ୍କ ପାଖରେ ସମସ୍ତ ପ୍ରମାଣ ଏବଂ ଯୁକ୍ତିକୁ ପରୀକ୍ଷା କରି ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବା ପାଇଁ ପର୍ଯ୍ୟାପ୍ତ ସମୟ ରହିଛି।