ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ। ଗ୍ରାମ୍ୟ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ଏହି ନିଗମ ବଡ଼ ଭୂମିକା ନିର୍ବାହ କରିବ। ନିଗମ ଗଠନ ନେଇ ଖୁବ୍ ଶୀଘ୍ର ଦୁଇଟି ରାଜ୍ୟକୁ ଯିବ ଓଡ଼ିଶା ଟିମ୍। ଏନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକକୁ ଟିମ୍ ଯାଇ ନିଗମର ରୂପରେଖ କିପରି ହେବ, ସେ ବାବଦରେ ଅନୁଧ୍ୟାନ କରିବେ। ଆଇଟି ଏବଂ ଡିଜିଟାଲ ପ୍ଲାଟଫର୍ମ ସହ ନିଗମ କାମ କରିବ। ୨୦୭ ମେଗା ପ୍ରକଳ୍ପ, ୧୮୭୦୦ ସିଙ୍ଗଲ ଭାଲ୍ଭ, ୬୫୫୧ ସୋଲାର ସିଷ୍ଟମ ପ୍ରକଳ୍ପକୁ ନିଗମ ପରିଚାଳନା ଓ ନିରୀକ୍ଷଣ କରିବ।
ନୂଆ ନୀତିରେ ମେଗା ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ୫ ବର୍ଷ ପାଇଁ ଗୋଟିଏ ଏଜେନ୍ସିକୁ ଦିଆଯିବ। ୫ ବର୍ଷ ପରେ ଦାୟିତ୍ୱ ପଞ୍ଚାୟତର ସରପଞ୍ଚଙ୍କୁ ହସ୍ତାନ୍ତର କରାଯିବ। ଏହି କାର୍ଯ୍ୟ ଭିଲେଜ୍ ୱାଟର ସାନିଟେସନ୍ କମିଟିର ଭାଗିଦାରୀରେ ହେବ। ପାଣି ପହଞ୍ଚିଲାଣି କି ନାହିଁ, କେଉଁଠି ବିଶୋଧନ ହେବ, ତାହା ଗାଁ କମିଟି ବ୍ଲକକୁ ଅବଗତ କରାଇବ।
ବ୍ଲକ, ଜିଲ୍ଲା ତଥା ଭିଲେଜ୍ ୱାଟର ସାନିଟେସନ୍ କମିଟିରେ ଥିବା ମ୍ୟାନେଜରଙ୍କୁ ଜଣାଇବାକୁ ମଧ୍ୟ ଦାୟିତ୍ୱ ଦିଆଯିବ। ୧୯ଟି ପଏଣ୍ଟ ଭାରତ ସରକାର ଦେଇଥିବା ଆଧାରରେ ସରକାର ଏହି ନୀତି ପ୍ରଣୟନ କରିଛନ୍ତି।
