EducationFeaturedLatestNews

ହଷ୍ଟେଲରେ ଖାଦ୍ୟ ଖାଇ ୬୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ବାରିପଦା(ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସ୍ଥିତ କାକବନ୍ଧ ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ଖାଦ୍ୟ ଖାଇବା ପରେ କିଛି ସମୟ ମଧ୍ୟରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏବେ ପର୍ଯ୍ୟନ୍ତ ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର ଫୁଡ୍ ପଏଜନିଂ ହୋଇଥିବା ସନ୍ଦେହ କରୁଛନ୍ତି।

ସୂଚନାଯୋଗ୍ୟ, ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୯୦ ଜଣ ଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି। ଘଟଣା ଦିନ ସକାଳେ ୯ଟା ସମୟରେ ସେମାନଙ୍କୁ ପଖାଳ ଓ ଆଳୁ ଖାଇବାକୁ ଦିଆଯାଇଥିଲା। ମେନ୍ୟୁ ଅନୁଯାୟୀ ସକାଳ ୭ଟାରେ ଉପମା ଦିଆଯିବାର ଥିଲା, କିନ୍ତୁ ଉପମା ଦିଆଯାଇନଥିଲା।

ଖାଇସାରିବାର କିଛି ସମୟ ପରେ ହଷ୍ଟେଲର ଜଣେ ପରେ ଜଣେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। କର୍ତ୍ତୃପକ୍ଷ ପ୍ରଥମେ କାହାକୁ ମେଡିକାଲରେ ନନେଇ ନିଜେ ପ୍ରାଥମିକ ଚିକିତ୍ସା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଦୀର୍ଘ ସମୟ ପରେ ରାସଗୋବିନ୍ଦପୁର ମେଡିକାଲକୁ ଅଟୋ ଯୋଗେ ଅଣାଯାଇଥିଲା। ପରେ ଅନ୍ୟ ଗୁରୁତର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମେଡିକାଲକୁ ଅଣାଯାଇଛି।

ହସ୍ପିଟାଲରେ ସମସ୍ତଙ୍କୁ ସାଲାଇନ୍ ଦିଆଯାଉଛି ଓ ଚିକିତ୍ସା ଜାରି ରହିଛି। କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହେଉଛି। ଡାକ୍ତର ଏସ୍ ମଣ୍ଡଳ ଫୁଡ୍ ପଏଜନିଂ ହୋଇଥାଇପାରେ ବୋଲି ପ୍ରକାଶ କରିଛନ୍ତି।