GeneralLatest

୧୦୦ କୋଟି ଡଲାର ଓ ତୁର୍କୀର ‘ସୁନ୍ଦରୀ ମହିଳା’ ଦାବି କଲେ ୟୁଗାଣ୍ଡା ସେନାମୁଖ୍ୟ

କାମ୍ପାଲା (ସଂକେତ ଟିଭି): ୟୁଗାଣ୍ଡାର ରାଷ୍ଟ୍ରପତି ୟୋୱେରୀ ମୁସେଭେନିଙ୍କ ପୁଅ ତଥା ଦେଶର ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେସ୍ (ସିଡିଏଫ୍) ମୁହୁଜି କାଇନେରୁଗାବା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଜରିଆରେ ତୁର୍କୀ ସରକାରଙ୍କୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ସେ ୧୦୦ କୋଟି ଆମେରିକୀୟ ଡଲାର (୧ ବିଲିୟନ) ଏବଂ ତୁର୍କୀର ‘ସବୁଠାରୁ ସୁନ୍ଦରୀ ମହିଳା’ଙ୍କୁ ନିଜର ପତ୍ନୀ ଭାବେ ଦାବି କରିଛନ୍ତି। ଯଦି ୩୦ ଦିନ ମଧ୍ୟରେ ଏହି ଦାବି ପୂରଣ ନହୁଏ, ତେବେ କାମ୍ପାଲାରେ ଥିବା ତୁର୍କୀ ଦୂତାବାସ ବନ୍ଦ କରିବା ସହ କୂଟନୈତିକ ସମ୍ପର୍କ ଛିନ୍ନ କରିବାକୁ ସେ ଧମକ ଦେଇଛନ୍ତି।

କାଇନେରୁଗାବାଙ୍କ ଅଭିଯୋଗ ଯେ, ସୋମାଲିଆରେ ଆଞ୍ଚଳିକ ସୁରକ୍ଷା ବଜାୟ ରଖିବା ପାଇଁ ୟୁଗାଣ୍ଡା ଦୀର୍ଘ ଦୁଇ ଦଶନ୍ଧି ଧରି ଅଲ-ଶବାବ ଭଳି ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଲଢ଼େଇ କରି ବହୁମୂଲ୍ୟ ଜୀବନ ଓ ଶକ୍ତି ଖର୍ଚ୍ଚ କରୁଛି। ମାତ୍ର ତୁର୍କୀ ସେଠାରେ ବନ୍ଦର ଓ ବିମାନବନ୍ଦର ଭଳି ଭିତ୍ତିଭୂମି ପ୍ରକଳ୍ପ ଜରିଆରେ କୋଟି କୋଟି ଟଙ୍କା ଲାଭ କରୁଛି। ୟୁଗାଣ୍ଡାର ଏହି ବଳିଦାନର ପ୍ରତିବଦଳରେ ତୁର୍କୀଠାରୁ ସେ ୧ ବିଲିୟନ ଡଲାର ‘ସୁରକ୍ଷା ଡିଭିଡେଣ୍ଡ’ ଦାବି କରିଛନ୍ତି। ସେ କହିଛନ୍ତି, ତୁର୍କୀ ପାଇଁ ଏହା ଏକ ସରଳ କାରବାର, ସେମାନେ ଆମକୁ ପଇସା ଦିଅନ୍ତୁ, ନଚେତ୍ ମୁଁ ସେମାନଙ୍କ ଦୂତାବାସ ବନ୍ଦ କରିଦେବି। ଆର୍ଥିକ ଦାବି ସହିତ ସେ ତୁର୍କୀର ସବୁଠାରୁ ସୁନ୍ଦରୀ ମହିଳାଙ୍କୁ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରି ଏକ ଅଜବ ସର୍ତ୍ତ ରଖିଛନ୍ତି।

ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଅକ୍ଟୋବର ୨୦୨୨ରେ ସେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ବିବାହ କରିବା ପାଇଁ ୧୦୦ଟି ‘ଅଙ୍କୋଲେ’ ଗାଈ ଉପହାର ଦେବାକୁ ପ୍ରସ୍ତାବ ଦେଇ ଚର୍ଚ୍ଚାକୁ ଆସିଥିଲେ। କାଇନେରୁଗାବା ୟୁଗାଣ୍ଡା ନାଗରିକଙ୍କୁ ସୁରକ୍ଷା ଦୃଷ୍ଟିରୁ ତୁର୍କୀ ଗସ୍ତ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହି ପୋଷ୍ଟଗୁଡ଼ିକରେ ସେ ଇସ୍ରାଏଲ ପ୍ରତି ନିଜର ଦୃଢ଼ ସମର୍ଥନ ମଧ୍ୟ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ‘ପବିତ୍ର ଭୂମି’ ବା ଜିସସ୍ ଖ୍ରୀଷ୍ଟଙ୍କ ଜନ୍ମଭୂମିର ସୁରକ୍ଷା ପାଇଁ ସେ ନିଜ ନେତୃତ୍ୱରେ ୧ ଲକ୍ଷ ୟୁଗାଣ୍ଡା ସୈନ୍ୟଙ୍କୁ ଇସ୍ରାଏଲ ପଠାଇବାକୁ ପ୍ରସ୍ତୁତ ଅଛନ୍ତି। ଜଣେ ଦାୟିତ୍ୱବାନ ସେନାମୁଖ୍ୟଙ୍କ ଏଭଳି ଅପରିପକ୍ୱ ଓ ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ଆନ୍ତର୍ଜାତୀୟ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି।