ମହାକାଶ ଷ୍ଟେସନରେ ବିଗିଡିଲା ମହାକାଶଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା, ଜରୁରୀ ପ୍ରତ୍ୟାବର୍ତ୍ତନ
ନୂଆଦିଲ୍ଲୀ (ସଂକେତ ଟିଭି): ଆନ୍ତର୍ଜାତିକ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରେ ଜଣେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ନାସା ତା’ର ‘କ୍ରୁ-୧୧’ ମିଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ବାଧ୍ୟ ହୋଇଛି । ନାସା ଏହି ମିଶନରେ ଥିବା ସମସ୍ତ ଚାରିଜଣ ମହାକାଶଚାରୀଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବାର ନିଷ୍ପତ୍ତି ନେଇଛି । ଆଇଏସ୍ଏସ୍ର ୨୫ ବର୍ଷର ଇତିହାସରେ ଏହା ପ୍ରଥମ ଥର ଯେପରି ଜରୁରୀକାଳୀନ ପ୍ରତ୍ୟାବର୍ତ୍ତନ କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ ଏହି ନିଷ୍ପତ୍ତି ନାସାକୁ ଜାନୁଆରୀ ୮ ତାରିଖରେ ମିଶନ ଅଧାରୁ ଶେଷ କରିବାକୁ ନେବାକୁ ପଡିଥିଲା । ଗୁରୁବାର ଅପରାହ୍ନ ୨ଟା ୧୧ ମିନିଟରେ (ଭାରତୀୟ ସମୟ) ମହାକାଶଚାରୀମାନେ କ୍ୟାଲିଫୋର୍ଣ୍ଣିଆ ଉପକୂଳରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି । ଗୋପନୀୟତା ରକ୍ଷା କରିବା ଉଦ୍ଦେଶ୍ୟରେ ନାସା ଅସୁସ୍ଥ ମହାକାଶଚାରୀଙ୍କ ପରିଚୟ କିମ୍ବା ଅସୁସ୍ଥତାର କାରଣ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । ତେବେ ସ୍ପେଶ ଏଜେନ୍ସି ଜଣାଇଛି ଯେ ଅସୁସ୍ଥ ମହାକାଶଚାରୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ।
ଏହି ଜରୁରୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଗୁରୁବାର ରାତି ୩ଟା ୩୫ ମିନିଟରେ (ଭାରତୀୟ ସମୟ) ଆରମ୍ଭ ହୋଇଥିଲା । ନାସା ପ୍ରଶାସକ ଜେରେଡ୍ ଆଇଜାକ୍ମ୍ୟାନ୍ ୱାସିଂଟନ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଶନ ସଦସ୍ୟଙ୍କୁ ଡାକ୍ତରୀ ଜରୁରୀକାଳୀନ ଅବସ୍ଥାରେ ଫେରାଇ ଆଣାଯାଉଥିବାର ଘୋଷଣା କରିଥିଲେ । ସ୍ପେଶ ଏଜେନ୍ସିର ଜ୍ୟେଷ୍ଠ ଅଧିକାରୀଙ୍କ ମତରେ, କକ୍ଷୀୟ ପ୍ରୟୋଗଶାଳାର ୨୫ ବର୍ଷର ଇତିହାସରେ ଏହା ପ୍ରଥମ ଜରୁରୀକାଳୀନ ପ୍ରତ୍ୟାବର୍ତ୍ତନ ଘଟଣା ।
ଏହି ଦଳରେ ନାସାର ଜ୍ୟାକ୍ସା କିମିୟା ୟୁଇ ଏବଂ ରୋସକୋସ୍ମସ୍ର ଓଲେଗ୍ ପ୍ଲାଟୋନୋଭ୍ ସାମିଲ ଥିଲେ । ଏହି ଘଟଣା ମହାକାଶ ମିଶନ ସମ୍ମୁଖୀନ ହୋଇଥିବା ଜୀବନମୂଳକ ଚାଲେଞ୍ଜଗୁଡିକୁ ପୁନର୍ବାର ସମସ୍ତଙ୍କ ଧ୍ୟାନକୁ ଆକର୍ଷିତ କରିଛି ।
