ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି; କରିବେ ୪ଟି ପ୍ରକଳ୍ପର ଲୋକାର୍ପଣ
ରାଉରକେଲା (ସଂକେତ ଟିଭି): ଆସନ୍ତା ୨୧ ତାରିଖରେ ଓଡ଼ିଶାକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତରେ ସେ ରାଉରକେଲାରେ ୪ଟି ପ୍ରକଳ୍ପର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଭାବରେ ଏହା ତାଙ୍କର ପ୍ରଥମ ରାଉରକେଲା ଗସ୍ତ ହେବ।
ଆସନ୍ତା ୨୧ ତାରିଖ ସକାଳେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଉଡ଼ାଣ ଭରି ସେ ପୂର୍ବାହ୍ନ ୧୧ଟା ୧୦ ମିନିଟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ। ଆଦିବାସୀ ସଂସ୍କୃତି, ପରମ୍ପରା ଓ ନୃତ୍ୟରେ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ସମସ୍ତ ପ୍ରସ୍ତୁତି ସରିଛି।
ରାଷ୍ଟ୍ରପତି ବିମାନ ବନ୍ଦରରୁ ସିଧାସଳଖ ରାଉରକେଲା ୱାନ୍ ପହଞ୍ଚିବେ। ସେଠାରେ ସେ ୪୮ କୋଟି ଟଙ୍କାରେ ନିର୍ମିତ କମାଣ୍ଡ କଣ୍ଟ୍ରୋଲ ରୁମ୍ ଲୋକାର୍ପଣ କରିବେ, ଯାହାଦ୍ୱାରା ରାଉରକେଲା ସହର ସିସିଟିଭି ନଜରରେ ରହିବ। ଏହାସହ ୪୦ କୋଟି ଟଙ୍କାରେ ନିର୍ମିତ ଆଦିବାସୀ ସଂଗ୍ରହାଳୟକୁ ମଧ୍ୟ ଲୋକାର୍ପଣ କରିବେ।
ତାପରେ ସେ ସେକ୍ଟର ୧୩ ମେଲଣ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ସେଠାରେ ୧୦ ହଜାର ଛାତ୍ରଛାତ୍ରୀ ଓ ୩୫ରୁ ଅଧିକ ସାଂସ୍କୃତିକ ଗୋଷ୍ଠୀ ଅଂଶଗ୍ରହଣ କରିବେ। ଭର୍ଚୁଆଲ୍ ମାଧ୍ୟମରେ ସେ ୪ଟି ପ୍ରକଳ୍ପ ଲୋକାର୍ପଣ କରିବେ: କୋଏଲ ନଗର ମନୋରଞ୍ଜନ ପାର୍କ (୪୨.୪୪ କୋଟି), ଛେଣ୍ଡ ସ୍ଥିତ ସାଇନ୍ସ ପାର୍କ ଆଣ୍ଡ୍ ପ୍ଲାନେଟୋରିୟମ (୨୭ କୋଟି)।
ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଫୋର୍ସ ମୁତୟନ ସହିତ ସାଧା ପୋଷାକରେ ଗୁଇନ୍ଦା ଅଧିକାରୀ ସମ୍ବେଦନଶୀଳ ସ୍ଥାନରେ ଜଗି ରହିବେ। ଏହି ଚାରୋଟି ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପରିଦର୍ଶନ କରିସାରିଛନ୍ତି। ସୁନ୍ଦରଗଡ଼ ମାଟିରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିଛି।
