CrimeFeaturedLatestNews

ବାଲେଶ୍ୱରରେ ପୋଲିସ ଏନକାଉଣ୍ଟର: ଗୁଳିରେ ୧ ଡକାୟତ ଆହତ

ବାଲେଶ୍ବର (ସଂକେତ ଟିଭି): ଗୁରୁବାର (ଗତକାଲି) ବିଳମ୍ବିତ ରାତିରେ ସିମୁଳିଆ ଅଡା ଛକରେ ପୋଲିସର ଏନକାଉଣ୍ଟର ଘଟିଛି। ପୋଲିସ ଗୁଳିରେ ଜଣେ ଆହତ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଫେରାର ହୋଇଯାଇଛନ୍ତି। ଏନକାଉଣ୍ଟରରେ ଆହତ ଲୋକେଶ ସିଂକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧.୩୦ରୁ ୨ଟା ମଧ୍ୟରେ ଏହି ଏନକାଉଣ୍ଟର ଘଟିଛି। ତେବେ ଅପରାଧୀ ଲୋକେଶ ନାଁରେ ବିଭିନ୍ନ ଥାନାରେ ୧୦ଟି ମାମଲା ରହିଛି। ନିକଟରେ ଜେଲରୁ ଫେରିଥିବା ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ଏହି ସୂଚନା ଦେଇଛନ୍ତି।

ପୋଲିସ ସୂଚନା ଅନୁସାରେ, ଗତକାଲି (ଗୁରୁବାର) ସିମୁଳିଆର ଅଡା ଅଞ୍ଚଳରେ ଦୁଇ ଜଣ ଡକାୟତ ଲୁଚି ରହିଥିବା ସିମୁଳିଆ ପୋଲିସକୁ ଖବର ମିଳିଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୋଲିସକୁ ଦେଖି ଦୁଇ ଜଣ ଦୁର୍ବୃତ୍ତ ଖସି ପଳାଇ ଯାଉଥିଲେ। ପୋଲିସ ତାଙ୍କୁ ଧରିବା ପାଇଁ ପଛରୁ ଗୋଡ଼ାଇଥିଲା। ଯାହା ଫଳରେ ପୋଲିସକୁ ଦେଖି ଦୁଇ ଜଣ ଡକାୟତ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା।

ଗୁଳି ଜଣେ ଡକାୟତର ଗୋଡ଼ରେ ବାଜିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ। ଆହତ ଜଣେ ଡକାୟତକୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଲୋକେଶ ସିଂ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ଜଗି ରହିଛି। ତେବେ ଏହି ଦୁଇ ଡକାୟତ ରାଜ୍ୟ ତଥା ରାଜ୍ୟ ବାହାରେ ଡକାୟତି, ଦାଦାବଟି, ଛିନତାଇ ସମ୍ପୃକ୍ତି ରହିଛି।

ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଗତରାତି ସିମୁଳିଆ ପୋଲିସ ନାଇଟ୍ ପାଟ୍ରୋଲିଂ ସମୟରେ ଖବର ପାଇଥିଲା ଯେ କିଛି ଅପରାଧୀ ଅପରାଧ କରିବା ଉଦ୍ଦେଶ୍ୟରେ ଅଡା କେନାଲ ନିକଟରେ ଏକତ୍ରିତ ହୋଇଛନ୍ତି। ଦୁଇଟି ବାଇକରେ ୫ ଜଣ ଥିଲେ। ପୋଲିସକୁ ଦେଖି ଖସିବାକୁ ଉଦ୍ୟମ କରିଥିଲେ। ଗୋଟେ ବାଇକ୍ ସେଠାରୁ ଖସିଗଲା, ଆଉ ଗୋଟେ ବାଇକ୍ ସ୍ଲିପ୍ ହୋଇଯାଇଥିଲା। ଏହାପରେ ଅପରାଧୀ ଲୋକେଶ ସିଂ ପୋଲିସ ଉପରକୁ ଗୋଟିଏ ରାଉଣ୍ଡ ଫାୟାର୍ କରିଥିଲା। ପୋଲିସ ମଧ୍ୟ ଗୋଟେ ରାଉଣ୍ଡ ଫାୟାର୍ କରିଛି, ଯାହା ତାର ଗୋଡ଼ରେ ବାଜିଛି। ପଛରେ ବସିଥିବା ଅନ୍ୟ ଜଣେ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।’

ଲୋକେଶକୁ ଗିରଫ କରି ଡିଏଚ୍ଏଚ୍ (DHH) ଭଦ୍ରକରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟ ୪ ଜଣଙ୍କ ପରିଚୟ ଖୋଜା ଚାଲିଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ସେମାନଙ୍କ ନିକଟରୁ ଗୋଟେ ବାଇକ୍ ଏବଂ ଗୋଟେ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ ହୋଇଛି ବୋଲି ଏସପି ସୂଚନା ଦେଇଛନ୍ତି।

ଏସପି ଆହୁରି କହିଛନ୍ତି ଯେ, ବାଲେଶ୍ୱରରେ ଲୋକେଶ ନାଁରେ ପାଖାପାଖି ୧୦ଟି କେସ୍ ଅଛି। ଏବେ ତାର ଛାନଭିନ୍ ଚାଲିଛି। ସବୁ କେସ୍ ଗୁଡ଼ିକ ଜମିବାଡି, ଲୁଟ୍, ଡକାୟତ ଓ ଆର୍ମସ୍ ଆକ୍ଟରେ ଥିବା ଏସପି କହିଛନ୍ତି। ଲୋକେଶ ବାଲେଶ୍ୱର, ଭଦ୍ରକ ଏବଂ ପାଖାପାଖି ଅଞ୍ଚଳରେ ସକ୍ରିୟ ଥିଲା, ଅନ୍ୟ ଜିଲ୍ଲାରେ ବି ତାର ଉପରେ ଆହୁରି ଅଧିକ କେସ୍ ଥିବ। ତଦନ୍ତ ଚାଲିଛି। ଆମେ ଆଶା କରୁଛୁ କି ଆହୁରି କିଛି ତଥ୍ୟ ମିଳିପାରେ।

ଏସପିଙ୍କ ସୂଚନା ମୁତାବକ, ୨୦୨୧ ପର୍ଯ୍ୟନ୍ତ ଲୋକେଶ ନାଁରେ ୧୦ରୁ ଊର୍ଦ୍ଧ୍ୱ ମାମଲା ଅଛି। ନିକଟରେ ସେ ଜେଲ୍ରୁ ବେଲ୍ରେ ବାହାରିଛି। ଚିକିତ୍ସା ହେବା ପରେ ତାକୁ ଏ ସମ୍ପର୍କରେ ପଚରାଉଚରା କରାଯିବ। ଏହି ଅପରାଧୀମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଡକାୟତି, ଦାଦାବଟି ଓ ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଅନ୍ୟ ଫେରାର ଅପରାଧୀମାନଙ୍କ ପାଇଁ ପୋଲିସ ବ୍ୟାପକ ତଲାଶ ଆରମ୍ଭ କରିଛି।