ଓଡ଼ିଶାରେ ଆଉ ଏକ ଲଘୁଚାପ ଆସିବାର ସମ୍ଭାବନା, ୧୫ ତାରିଖରେ ପ୍ରବଳ ବର୍ଷା ଆଶଙ୍କା
ନୂଆଦିଲ୍ଲୀ (ସଂକେତ ଟିଭି): ଓଡ଼ିଶା ପଛକୁ ପଛ ଲଘୁଚାପର ସମ୍ମୁଖୀନ ହେଉଛି। ଚଳିତ ବର୍ଷା ଋତୁରେ ଜୁନ ୧ ତାରିଖରୁ ଆରମ୍ଭ କରି ଏପର୍ଯ୍ୟନ୍ତ ରାଜ୍ୟ ୮ ଟି ଲଘୁଚାପ ଦେଖିସାରିଛି। ଫଳରେ ରାଜ୍ୟରେ ସ୍ୱାଭାବିକ ବର୍ଷା ତୁଳନାରେ ଏବେ ୨୫ ପ୍ରତିଶତ କମ୍ ବର୍ଷା ହୋଇଛି। ତେବେ ପୁଣି ଏକ ନୂଆ ଲଘୁଚାପ ଆସୁଥିବାରୁ ଉତ୍ତର ଓଡ଼ିଶାରେ ବଡ଼ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଆସନ୍ତା ୧୦ ରୁ ୧୨ ତାରିଖ ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା କ୍ରମେ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ ବୋଲି ଆଶଙ୍କା କରାଯାଉଛି। ଏହାର ପ୍ରଭାବ ରାଜ୍ୟରେ ବର୍ଷା ପାଇଁ ସହାୟକ ହୋଇପାରେ।
ଏହି ଲଘୁଚାପ ଆସନ୍ତା ୧୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଅଧିକ ଘନୀଭୂତ ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ, ବିଶେଷକରି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏହାସହିତ ଝାଡ଼ଖଣ୍ଡର କିଛି ଅଞ୍ଚଳରେ ମଧ୍ୟ ଭାରୀ ବର୍ଷାର ସମ୍ଭାବନା ରହିଛି।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ବର୍ଷା ସକ୍ରିୟ ନାହିଁ। ୮ରୁ ୧୦ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶା ଓ ଆଖପାଖ ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇପାରେ। ତେବେ ୧୫ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଧିକ। ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ। କିନ୍ତୁ ଏହାର ପ୍ରକୃତ ପ୍ରଭାବ ଏବଂ ଗତିପଥ ସମ୍ପର୍କରେ ଏବେଠାରୁ କିଛି ନିର୍ଦ୍ଦିଷ୍ଟ ଆକଳନ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
