ଧୀରେ ଧୀରେ ଚାଉଳ ଉଠାଇବ ଏଫସିଆଇ: ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର ବିରୋଧୀଙ୍କ ବୟାନକୁ ପ୍ରତ୍ୟାଖ୍ୟାନ କରି ତେରେଛା ବାଣ ମାରିଛନ୍ତି। ସେ କହିଛନ୍ତି ଯେ, ଏଫସିଆଇ (FCI) ଧୀରେ ଧୀରେ ଚାଉଳ ଉଠାଇ ନେବ। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଯେଉଁ ଟାର୍ଗେଟ ରହିଛି, ସେହି ଅନୁଯାୟୀ ଏଫସିଆଇ ଚାଉଳ ଉଠାଇବ ବୋଲି ସେ କହିଛନ୍ତି।
ବିରୋଧୀ ଦଳ ବିଜେଡିକୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି ଯେ, ବିଜେଡି ନିଜ ଶାସନ କାଳରେ ଚାଷୀମାନଙ୍କ ପାଇଁ କିଛି କରିପାରି ନାହିଁ। ଏତେ ବର୍ଷ ଶାସନ କରି ମଧ୍ୟ ସେମାନେ ଚାଷୀଙ୍କୁ ୧୦୦ ଟଙ୍କା ମଧ୍ୟ ଦେଇପାରି ନାହାନ୍ତି। ମାତ୍ର ବର୍ତ୍ତମାନର ସରକାର ଧାନ ଇନପୁଟ ସବସିଡି, ପିଏମ କିଷାନ, ସିଏମ କିଷାନ ଭଳି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି। ଏହା ବିରୋଧୀଙ୍କୁ ପସନ୍ଦ ଆସୁନାହିଁ, କାରଣ ସେମାନେ କେବଳ ଅନ୍ୟମାନଙ୍କ କଥା ଉପରେ ନଜର ରଖିଛନ୍ତି।
ଏଫସିଆଇ ଆଗରେ ମନ୍ତ୍ରୀଙ୍କ ଅସହାୟତା ପ୍ରସଙ୍ଗକୁ ନେଇ ବିଜେଡି ସରକାରଙ୍କୁ ଘେରିଛି। ଯୋଗାଣ ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ, କେନ୍ଦ୍ର ସରକାର ରାଜ୍ୟର କଥା ଶୁଣୁନାହାନ୍ତି। ୨୦ ସାଂସଦ, ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯାଇଥିଲେ ମଧ୍ୟ କେନ୍ଦ୍ର ଶୁଣିନାହାନ୍ତି। ମନ୍ତ୍ରୀ ୭ ଥର କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ ଫଳ ମିଳିନାହିଁ। ଅନ୍ୟ ରାଜ୍ୟରୁ ଚାଉଳ ଉଠୁଥିବା ବେଳେ ଓଡ଼ିଶାରୁ କାହିଁକି ଉଠୁନାହିଁ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଯେଉଁ ସରକାର ଏମଏସପି (MSP) ଓ ଇନପୁଟ ସବସିଡି ଦେବା କଥା କହିଥିଲେ, ସେମାନେ ଆଜି ବିଫଳ ହୋଇଛନ୍ତି ବୋଲି ବିଜେଡି ଆକ୍ଷେପ କରିଛି। ରାଜ୍ୟରେ ୧୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ପଡ଼ି ରହିଛି ଏବଂ ଏହା ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ବୋଲି ବିଜେଡି କହିଛି।
ଅନ୍ୟପଟେ, ବିଜେଡିର ଏଭଳି ଟାର୍ଗେଟକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ବିଜେଡିର କୌଣସି ନୈତିକ ଅଧିକାର ନାହିଁ। ଯେଉଁମାନେ କେନ୍ଦ୍ରର ଚାଉଳକୁ ନିଜ ନାଁରେ ବାଣ୍ଟୁଥିଲେ, ସେମାନେ ଆଜି କଣ କହିବେ? ଏଫସିଆଇର ସମସ୍ୟା ଆଗାମୀ ଦିନରେ ସମାଧାନ ହେବ ବୋଲି ସେ କହିଛନ୍ତି। ବିଜେଡି ଅତୀତରେ ଚାଷୀଙ୍କୁ ଭୁବନେଶ୍ବରରେ ବାରଣ କରିଥିଲା ଏବଂ ବିଜେଡି ନେତା ଯେତେ ସ୍ନୋ-ପାଉଡର (ପାଉଡର ଛିଞ୍ଚିବା) ମାରିଲେ ବି ସରକାର ଫେରିବେ ନାହିଁ ବୋଲି ବିଜେପି ଆକ୍ଷେପ କରିଛି।
ସେହିପରି, ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ନେଇ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିଛି। କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ବିଜେପି ସରକାର ନିଜ ଦୋଷକୁ ଲୁଚାଇବାକୁ ଚାହୁଁଛନ୍ତି। ସେମାନେ କେବେଳ ଚାଷୀଙ୍କୁ ତ କେବେଳ ଅନ୍ୟମାନଙ୍କୁ ଦୋଷ ଦେଉଛନ୍ତି, ଆଉ ଏବେ କେନ୍ଦ୍ରକୁ ଦୋଷ ଦେବାକୁ ପଛାଉ ନାହାନ୍ତି। ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଲୋକଙ୍କ କାମ ହେଉନାହିଁ, ଯାହା ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ। ଆଗାମୀ ଖରିଫ ଧାନ ସଂଗ୍ରହକୁ ଦୃଷ୍ଟିରେ ରଖି ସାଲୁଜା ପ୍ରଶ୍ନ କରିଛନ୍ତି ଯେ, ଯଦି ଏଫସିଆଇ ଚାଉଳ ନେବ ନାହିଁ, ତେବେ ଧାନ କିପରି ସଂଗ୍ରହ ହେବ?
