ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ବିବାଦର ଅବସାନ: ‘ଧାମ’ ଶବ୍ଦ ହଟିଲା
କୋଲକତା(ସଂକେତ ଟିଭି): ଦୀଘା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦର ଅବସାନ ଘଟିଛି। ଦୀଘା ଜଗନ୍ନାଥ ମନ୍ଦିର ପରିସରର ନାମରୁ ‘ଧାମ’ ଶବ୍ଦ ହଟିଛି। ଏଣିକି ମନ୍ଦିର ପରିସରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଏବଂ ମନ୍ଦିରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ରହିବ। ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା ସରକାର ସ୍ୱାଗତ କରିଛନ୍ତି।
ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ୱର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ବୋଲି ସେ କହିଛନ୍ତି। କୋଟି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ସର୍ବଶ୍ରେଷ୍ଠ ପ୍ରତୀକ ହେଉଛନ୍ତି ମହାପ୍ରଭୁ। ଶ୍ରୀକ୍ଷେତ୍ରର ଅନନ୍ୟ ଧାର୍ମିକ ମହତ୍ତ୍ୱକୁ ଉପେକ୍ଷା କରି ପଶ୍ଚିମବଙ୍ଗର ପୂର୍ବତନ ସରକାର ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମରେ ନାମିତ କରିଥିଲେ। ଏହା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୨୦୨୬ ଜୁନ୍ ୯ ତାରିଖରେ ଦୀଘା ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ବର୍ତ୍ତମାନ ଏହି ନିଷ୍ପତ୍ତିକୁ ବିଧିବଦ୍ଧ ସ୍ୱୀକୃତି ମିଳିଛି। ଶୁଭେନ୍ଦୁଙ୍କ ତ୍ୱରିତ ପଦକ୍ଷେପକୁ ମୋହନ ମାଝୀ ପ୍ରଶଂସା କରିଛନ୍ତି।
୨୦୨୫ ଏପ୍ରିଲ ୩୦ ତାରିଖରେ ତତ୍କାଳୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ଜଗନ୍ନାଥ ମନ୍ଦିରର ଉଦ୍ଘାଟନ କରିଥିଲେ। ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମନ୍ଦିର ପରିସରକୁ ‘ଜଗନ୍ନାଥ ଧାମ’ ନାମରେ ନାମିତ କରାଯିବା ପରେ ଓଡ଼ିଶାରେ ପ୍ରତିବାଦ ଦେଖାଦେଇଥିଲା। ବର୍ତ୍ତମାନ ନାମକରଣ ବିବାଦର ଅବସାନ ହୋଇଛି।
