ବଜ୍ରପାତ ମୃତ୍ୟୁ ହାର ହ୍ରାସ, ତାଳ ଗଛ ଲଗାଇବା ପାଇଁ ୧୪ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ହାର କମିଛି। ୨୦୧୯-୨୦ରେ ୩୫୦ଙ୍କ ଜୀବନ ଯାଇଥିବା ବେଳେ ୨୦୨୪-୨୫ରେ ୨୪୩ ଜଣ ଓ ୨୦୨୫-୨୬ରେ ୨୫୭ ଜଣଙ୍କ ଜୀବନ ନେଇଛି ବଜ୍ରପାତ। ବିଧାନସଭାରେ ଏଭଳି ଲିଖିତ ଉତ୍ତର ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ବଜ୍ରପାତର ତୀବ୍ରତା ଓ ସଂଖ୍ୟା ବୃଦ୍ଧି ପାଉଛି ହେଲେ Early Warning System ଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇଛି। ତେବେ ରାଜ୍ୟରେ ମୟୂରଭଞ୍ଜ, ଗଞ୍ଜାମ, ବାଲେଶ୍ୱର, କେନ୍ଦୁଝର ଓ କଟକକୁ ରାଜ୍ୟର ବଜ୍ରପାତପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି। ସେଠାରେ ଭାରତ ସରକାରଙ୍କ Mitigation project for lightning safety କାର୍ଯ୍ୟକାରୀ କରାଯାଇଛି। ତାଳ ଗଛ ଲଗାଇବା ପାଇଁ ୧୪ କୋଟି ୭୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସଚେତନତା କାର୍ଯ୍ୟକ୍ରମ ପାଇଁ ଜିଲ୍ଲାଗୁଡ଼ିକୁ ୨୦ କୋଟି ଟଙ୍କା ଦିଆଯାଇଥିବା ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି।
ସେହିପରି ଚଳିତ ବର୍ଷ ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼, ବଜ୍ରପାତ, ସାପ କାମୁଡ଼ା ଓ ପାଣିରେ ବୁଡ଼ି ୪୬୪ ଲୋକଙ୍କ ଜୀବନ ଯାଇଛି। ଗଞ୍ଜାମ ଭୂସ୍ଖଳନରେ ଏ ଯାଏଁ ୬ ଜଣ ନିଖୋଜ ଅଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
