FeaturedGeneralLatest

କେଣ୍ଟଣ୍ଟ କ୍ରିଏଟର୍ସଙ୍କୁ ସାମ୍ବାଦିକଙ୍କ ଭଳି ସମାନ ସୁରକ୍ଷା ମିଳିପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ସଂକେତ ଟିଭି): ସ୍ୱଘୋଷିତ ସାମ୍ବାଦିକ ଏବଂ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି । ତେଣୁ ଆନ୍ଦୋଳନ କିମ୍ବା ବିକ୍ଷୋଭ ସମୟରେ ଖବର ସଂଗ୍ରହ କରୁଥିବା ସ୍ୱଘୋଷିତ ସାମ୍ବାଦିକଙ୍କୁ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ଭଳି ସମାନ ସୁରକ୍ଷା ମିଳିପାରିବ ନାହିଁ । ଗୁରୁବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ ।

ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ଓ ଅଟକ ରଖିବା ଘଟଣା ସମ୍ପର୍କିତ ଆବେଦନର ଶୁଣାଣି ବେଳେ କୋର୍ଟ ଏହି ମତ ରଖିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କେରଳ ୟୁନିୟନ ଅଫ୍ ୱାର୍କିଂ ଜର୍ନାଲିଷ୍ଟ୍ସ ବମାନ ଭାରତ ସଂଘର ଏକ ମାମଲାର ଶୁଣାଣି କରିଥିଲେ । ବିଚାରପତି ଜୟମାଲ୍ୟ ବାଗଚୀ କହିଥିଲେ, ଜଣେ ବ୍ୟକ୍ତି ନିଜକୁ ସାମ୍ବାଦିକ ବୋଲି ଘୋଷଣା କରିଦେଲେ ତାଙ୍କୁ ସାମ୍ବାଦିକଙ୍କ ମାନ୍ୟତା ମିଳିଯାଏ ନାହିଁ । ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଏବଂ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି । ତେଣୁ ଉଭୟଙ୍କୁ ସମାନ ସୁରକ୍ଷା ଦିଆଯିବ କି ନାହିଁ, ତାହା ବିଚାର କରିବାକୁ ପଡ଼ିବ ।

ଶୁଣାଣି ସମୟରେ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ । ପ୍ରକୃତରେ କାହାକୁ ସାମ୍ବାଦିକ କୁହାଯିବ ? ସାମ୍ବାଦିକମାନଙ୍କୁ ପ୍ରଦାନ କରାଯାଉଥିବା ସୁରକ୍ଷା କ’ଣ ସେମାନଙ୍କର ବୃତ୍ତିଗତ ମାନ୍ୟତା କିମ୍ବା କୌଣସି ପ୍ରତିଷ୍ଠାନ ସହିତ ସମ୍ପୃକ୍ତି ଉପରେ ଆଧାରିତ ହେବା ଉଚିତ ? ପ୍ରତିବାଦ ଖବର ସଂଗ୍ରହ କରିବା ସମୟରେ ସାମ୍ବାଦିକମାନେ ଆଇନ ପ୍ରବର୍ତ୍ତନ ସଂସ୍ଥା (ପୋଲିସ, ଇତ୍ୟାଦି) ତୁଳନାରେ କୌଣସି ବିଶେଷ ସୁବିଧା ପାଆନ୍ତି କି ? ପ୍ରତିବାଦ ସ୍ଥଳରୁ ଜଣେ ସାମ୍ବାଦିକଙ୍କୁ ବଳପୂର୍ବକ ହଟାଇବା କ’ଣ “ହେପାଜତ” ହେବ ? ଏହାର ସାମ୍ବିଧାନିକ ପ୍ରଭାବ କ’ଣ ହେବ ?

କୋର୍ଟ କହିଛନ୍ତି ଯେ ସାମ୍ବାଦିକ ସ୍ୱାଧୀନତା ଏବଂ ସାର୍ବଜନୀନ ଶୃଙ୍ଖଳା ରକ୍ଷା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରାଯିବା ଆବଶ୍ୟକ । କୋର୍ଟ ସଂକେତ ଦେଇଛନ୍ତି ଯେ ପୋଲିସ ଏବଂ ସାମ୍ବାଦିକଙ୍କ ମଧ୍ୟରେ ପାରସ୍ପରିକ କ୍ରିୟାକୁ ନିୟନ୍ତ୍ରଣ କରୁଥିବା ବର୍ତ୍ତମାନର ଢାଞ୍ଚାରେ ଥିବା ତ୍ରୁଟିଗୁଡ଼ିକୁ ସେ ସମାଧାନ କରିପାରନ୍ତି । ଏହା ବ୍ୟତୀତ, ସୁପ୍ରିମକୋର୍ଟ କହିଛନ୍ତି ଯେ ପୋଲିସର ଅତ୍ୟଧିକ କାର୍ଯ୍ୟର ବ୍ୟକ୍ତିଗତ ଅଭିଯୋଗଗୁଡ଼ିକର ତଦନ୍ତ କୋର୍ଟ ଦ୍ୱାରା ଗଠିତ ଏକ କମିଟି ଦ୍ୱାରା କରାଯିବ ଏବଂ କୋର୍ଟ ନିଜେ ବୃହତ ସାମ୍ବିଧାନିକ ପ୍ରଶ୍ନ ଉପରେ ବିଚାର କରିପାରନ୍ତି । ଏହି ପ୍ରସଙ୍ଗରେ କୋର୍ଟ କହିଥିଲେ, ସାମ୍ବାଦିକଙ୍କ ସ୍ୱାଧୀନତା ଏବଂ ସାଧାରଣ ଆଇନଶୃଙ୍ଖଳା ବଜାୟ ରଖିବା ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ।

କେରଳ ୟୁନିୟନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ୍ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୧୦ ଓ ୧୧ ତାରିଖରେ ଦିଲ୍ଲୀରେ ହୋଇଥିବା ଆନ୍ଦୋଳନର ଖବର ସଂଗ୍ରହ କରୁଥିବା କେରଳର ୭ ଜଣ ସାମ୍ବାଦିକଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିବା ସହ ଦୁର୍ବ୍ୟବହାର ଓ ମାଡ଼ ମାରିଥିଲା । ଏପରିକି ସେମାନଙ୍କୁ ଘଟଣାସ୍ଥଳରୁ ଜବରଦସ୍ତ ହଟାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଆବେଦନକାରୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ଆନ୍ଦୋଳନ ସମୟରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ହଠାତ୍ ରିଲ୍ସ ନିର୍ମାତା କିମ୍ବା କଣ୍ଟେଣ୍ଟ କ୍ରିଏଟର କହି ଅଲଗା କରାଯାଇପାରିବ ନାହିଁ ।

ଅନ୍ୟପଟେ ଦିଲ୍ଲୀ ପୋଲିସ ପୂର୍ବରୁ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଥିଲା ଯେ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର, ରିଲ୍ସ ନିର୍ମାତା ଏବଂ କଣ୍ଟେଣ୍ଟ କ୍ରିଏଟରଙ୍କୁ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ଭଳି ସୁରକ୍ଷା ଦିଆଯାଇପାରିବ ନାହିଁ । ସୁପ୍ରିମକୋର୍ଟ ୭ ଜଣ ସାମ୍ବାଦିକଙ୍କ ଅଭିଯୋଗର ତଦନ୍ତ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଆର୍.ସୁଭାଷ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଯାଞ୍ଚ କମିଟି ନିକଟରେ ଆବଶ୍ୟକ ପ୍ରମାଣ ଓ ଦସ୍ତାବିଜ ଦାଖଲ କରିବାକୁ ଆବେଦନକାରୀଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *