ଛୁଟି ପାଇଁ ମହିଳା କନେଷ୍ଟବଳଙ୍କ କୋହଭରା ନିବେଦନ; ଭିଡିଓ ଭାଇରାଲ ପରେ ତଦନ୍ତ ଘୋଷଣା
ବାଲେଶ୍ବର (ସଂକେତ ଟିଭି): ନିଜ ଛୋଟ ପିଲାର ଚିକିତ୍ସା ପାଇଁ ଛୁଟି ମାଗିବା ସତ୍ତ୍ୱେ ଛୁଟି ନମିଳିବାରୁ ଜଣେ ମହିଳା କନେଷ୍ଟବଳ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ବାଲେଶ୍ୱର ଟ୍ରାଫିକ ଥାନା ସମ୍ମୁଖରେ ସେ କାନ୍ଦି କାନ୍ଦି ନିଜର ଅସହାୟତା ଓ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଆଚରଣ ଏବଂ ଛୁଟି ପ୍ରଦାନ ବ୍ୟବସ୍ଥାକୁ ନେଇ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ଅଭିଯୋଗ ଅନୁଯାୟୀ, ବାଲେଶ୍ୱର ଟ୍ରାଫିକ ଥାନାରେ କାର୍ଯ୍ୟରତ ଏହି ମହିଳା କନେଷ୍ଟବଳ ନିଜ ପିଲାର ଚିକିତ୍ସା ପାଇଁ ଛୁଟି ମାଗିଥିଲେ। ହେଲେ ବିଭାଗୀୟ ଅଧିକାରୀ ତାଙ୍କୁ ଛୁଟି ଦେବାକୁ ମନା କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ଭିଡିଓ ମାଧ୍ୟମରେ ସେ ପ୍ରଶ୍ନ ଉଠାଇଛନ୍ତି ଯେ “ବଡ଼ ଅଧିକାରୀମାନେ ନିଜ ପାରିବାରିକ କାର୍ଯ୍ୟ ପାଇଁ ସମୟ ବାହାର କରିପାରୁଥିବା ବେଳେ ତଳସ୍ତରର କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି କଠୋର ମନୋଭାବ କାହିଁକି?”
ଖବର ପାଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ବାଲେଶ୍ୱର ଟ୍ରାଫିକ ଥାନାରେ ପହଞ୍ଚି କାନ୍ଦୁଥିବା ମହିଳା କନେଷ୍ଟବଳଙ୍କ ସହ ଆଲୋଚନା କରିଥିଲେ ଏବଂ ତାଙ୍କୁ ବୁଝାସୁଝା କରିଥିଲେ। ଏହି ଘଟଣା କେବଳ ଛୁଟିକୁ ନେଇ ଅସନ୍ତୋଷ ନୁହେଁ, ବରଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଧିକାର ଏବଂ ବିଭାଗୀୟ ମାନବିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ୱର ଅତିରିକ୍ତ ଏସପି ଦେବଜ୍ୟୋତି ଦାଶ। ସେ କହିଛନ୍ତି, “ଭାଇରାଲ ହୋଇଥିବା ଭିଡିଓରେ ମହିଳା କନେଷ୍ଟବଳ ଯେଉଁ ଅଭିଯୋଗ ଆଣିଛନ୍ତି ସେ ସମ୍ପର୍କରେ ଆମେ ଅବଗତ ଅଛୁ। ପୋଲିସ ବିଭାଗ ଏକ ଶୃଙ୍ଖଳିତ ବିଭାଗ। ତେଣୁ ବିଭାଗକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗ ବା ଅସନ୍ତୋଷର ଉପଯୁକ୍ତ ତଦନ୍ତ କରାଯାଇଥାଏ। ବର୍ତ୍ତମାନ ଏହି ଘଟଣା ସର୍ବସାଧାରଣରେ ଆସିବା ସହ ଭିଡିଓଟି ଭାଇରାଲ ହୋଇଥିବାରୁ ଏହା ଉପରେ ବିଭାଗ ପକ୍ଷରୁ ତଦନ୍ତ କରାଯିବ। ତଦନ୍ତ ପରେ ପ୍ରକୃତରେ କ’ଣ ଘଟିଛି ଏବଂ ମହିଳା କନେଷ୍ଟବଳଙ୍କର କ’ଣ ଅଭିଯୋଗ ରହିଛି, ସେ ସମ୍ପର୍କରେ ସମସ୍ତ ଦିଗକୁ ଠିକ୍ ଭାବେ ଅନୁଧ୍ୟାନ କରାଯିବ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ “ପୋଲିସ ବିଭାଗ ସବୁବେଳେ ଏକ ଶୃଙ୍ଖଳିତ ବିଭାଗ ଭାବେ ୨୪ ଘଣ୍ଟା ଜନସାଧାରଣଙ୍କ ସେବାରେ ନିୟୋଜିତ ରହିଛି। ତେଣୁ ଏହି ଅଭିଯୋଗର ମଧ୍ୟ ଉପଯୁକ୍ତ ତଦନ୍ତ କରାଯିବ ଏବଂ ତଦନ୍ତରୁ ଯାହା ତଥ୍ୟ ସାମ୍ନାକୁ ଆସିବ ସେହି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।”
