FeaturedLatestNewsPolitics

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା କଂଗ୍ରେସ ବୃହତ୍ ପ୍ରସ୍ତୁତି ଆରମ୍ଭ କରିଛି। ରାଜ୍ୟ କଂଗ୍ରେସ ଆଗାମୀ ୩ ମାସ ଭିତରେ ୧୫ ଲକ୍ଷ ସକ୍ରିୟ କର୍ମୀ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ଲକ୍ଷ୍ୟ ହାସଲ ପାଇଁ ଦଳ ପକ୍ଷରୁ ବ୍ୟାପକ ସଂଗଠନାତ୍ମକ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନିଆଯାଇଛି।

ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଗତ କିଛି ଦିନ ହେଲା ବ୍ଲକସ୍ତରରେ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ତୀବ୍ର ଆନ୍ଦୋଳନ ଜାରି ରଖିଛି। ଏହି ଆନ୍ଦୋଳନ ଜରିଆରେ ଦଳ ଜନମତ ସୃଷ୍ଟି କରିବାରେ ସଫଳ ହୋଇଛି ବୋଲି ସେ ଦାବି କରିଛନ୍ତି। ବିଶେଷକରି ଉପକୂଳ ଓଡ଼ିଶାରେ କଂଗ୍ରେସ ଏକ ସମୟରେ ଶୂନ୍ୟ ହୋଇଯାଇଥିବା ବେଳେ ଆଜି ସେଠାରେ ଦଳ ପ୍ରତି ସମର୍ଥନ ଏବଂ ଭୋଟ୍ ପ୍ରତିଶତ ଯଥେଷ୍ଟ ବୃଦ୍ଧି ପାଇଛି।

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାପରିଷଦ ସ୍ତରରେ କମିଟି ଗଠନ କରାଯିବ। ପ୍ରତ୍ୟେକ ପଞ୍ଚାୟତରେ ୧୧ ଜଣିଆ କଂଗ୍ରେସ କମିଟି ଗଠନ କରାଯିବ। ସେହିପରି ପ୍ରତି ବ୍ଲକ ଓ ଜିଲ୍ଲାପରିଷଦ ସ୍ତରରେ ମଧ୍ୟ ପୃଥକ କମିଟି ଗଠନ କରି ଦଳୀୟ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରାଯିବ ବୋଲି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି।

ପିସିସି ସଭାପତି ଆହୁରି କହିଛନ୍ତି ଯେ, ଏହି ସଂଗଠନାତ୍ମକ ପରିବର୍ତ୍ତନ ଓ କର୍ମୀଙ୍କ ସକ୍ରିୟତା ଯୋଗୁଁ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ଜବରଦସ୍ତ ସଫଳତା ମିଳିବ। ଦଳ ନିଜର ପୁରୁଣା ଗଣ୍ଠି ଫେରି ପାଇବା ସହ ରାଜ୍ୟର ପ୍ରତ୍ୟେକ ସ୍ତରରେ ନିଜର ଉପସ୍ଥିତି ଜାହିର କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।