BusinessFeaturedLatestNews

ବାଣିଜ୍ୟିକ ଏଲପିଜି, ସିଏନଜି ଓ ବିମାନ ଇନ୍ଧନ ଦରବୃଦ୍ଧି

ଭୁବନେଶ୍ୱର (ସଂକେତ ଟିଭି) ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ପକ୍ଷରୁ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦରରେ ବୃଦ୍ଧି କରାଯାଇଛି। ଏହି ସଂଶୋଧନ ଅନୁଯାୟୀ, ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ପିଛା ପ୍ରାୟ ୧୦ ଟଙ୍କା ଏବଂ ୫ କେଜିଆ ସିଲିଣ୍ଡର ପିଛା ୨ ଟଙ୍କା ବୃଦ୍ଧି ଘଟିଛି।

ଫଳରେ ଭୁବନେଶ୍ବର ସହରରେ ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ନୂତନ ଦର ୨,୯୧୯ ଟଙ୍କା ନିର୍ଦ୍ଧାରଣ ହୋଇଥିବା ବେଳେ ୫ କେଜିଆ ସିଲିଣ୍ଡରର ଦର ୮୧୦ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଘରୋଇ ଏଲପିଜି ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, ଯାହା ଗୃହିଣୀମାନଙ୍କ ପାଇଁ ଆଶ୍ୱସ୍ତିର ଖବର।

ସେହିପରି, ଆଜି ଭୁବନେଶ୍ବରରେ ସିଏନଜି (ସଙ୍କୋଚିତ ପ୍ରାକୃତିକ ଗ୍ୟାସ)ର ଦର କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି ପାଇ ୯୫ ଟଙ୍କା ହୋଇଛି। ପୂର୍ବରୁ ଏହାର ଦର କିଲୋଗ୍ରାମ ପିଛା ୯୪ ଟଙ୍କା ରହିଥିଲା।

ଅନ୍ୟପକ୍ଷରେ, ବିମାନ ଇନ୍ଧନ (ଏଟିଏଫ) ଦରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଲିଟର ପିଛା ୬ ଟଙ୍କା ୨୮ ପଇସା (ଅର୍ଥାତ୍ ୫.୪୬ ପ୍ରତିଶତ) ବୃଦ୍ଧି ହେତୁ ଏହାର ନୂତନ ଦର ୧୨୧ ଟଙ୍କା ୨୮ ପଇସା ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୧ ତାରିଖରେ ମଧ୍ୟ ବିମାନ ଇନ୍ଧନ ଦର ଲିଟର ପିଛା ୫ ଟଙ୍କା ବୃଦ୍ଧି ପାଇଥିଲା।

ବିମାନ ପରିଚାଳନା ଖର୍ଚ୍ଚରେ ଇନ୍ଧନର ଅଂଶ ପ୍ରାୟ ୪୦ ପ୍ରତିଶତ ରହିଥାଏ। ତେଣୁ ଏହି ଦରବୃଦ୍ଧି ସିଧାସଳଖ ଭାବେ ଏୟାରଲାଇନ୍ସ କମ୍ପାନିଗୁଡ଼ିକର ମୁନାଫାକୁ ପ୍ରଭାବିତ କରିବା ସହ ଭବିଷ୍ୟତରେ ବିମାନ ଭଡ଼ା ବୃଦ୍ଧିର ଆଶଙ୍କା ମଧ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *